ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ(ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା।

ସଲିଡ ଫୁଏଲ ଡକ୍ଟେଡ ରାମଜେଟର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି, ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ। ବର୍ତ୍ତମାନ ବିଶ୍ୱର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି। ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ପରି ଅନେକ ରେଞ୍ଜ ଉପକରଣ ଦ୍ୱାରା ଧରାଯାଇଥିବା ତଥ୍ୟରୁ ସିଷ୍ଟମର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ଆଇଟିଆର ପକ୍ଷରୁ ନିୟୋଜିତ ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଓ ଟେଲିମେଟ୍ରି ଉପକରଣ ସହାୟତାରେ ନିରୀକ୍ଷଣ କରାଯାଇଥିଲା। ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା।

ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବ୍ରୋଟୋରୀ(ଡିଆରଡିଏଲ), ରିସର୍ଚ୍ଚ ସେଣ୍ଟ ଇମାରତ(ଆରସିଆଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ(ଏଚ୍‌ଇଏମ୍‌ଆର୍‌ଏଲ) ସମେତ ବିଭିନ୍ନ ଡିଆରଡିଓ ଲ୍ୟାବର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ।

ଏସ୍‌ଏଫ୍‌ଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର