ଜୟପୁରରେ ଇନ୍ଦିରା, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା: ୩୩% ମହିଳା ପ୍ରାର୍ଥୀ ଦେଲା ବିଜେଡି

ଦାଦାଙ୍କ ଉପରେ ଭାରିପଡ଼ିଲେ ଝିଆରୀ

ମାଲକାନଗିରି/ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବାକି ରହିଥିବା ଜୟପୁର ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ନିମନ୍ତେ ଆଜି ଦଳ ପ୍ରାର୍ଥୀ ଘୋଷଣା କରିଛି। ଜୟପୁରରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ. ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଚିତ୍ରକୋଣ୍ଡା ଆସନରେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଟିକେଟ୍‌ ପାଇଛନ୍ତି। ସଂଖ୍ୟାଧିକ ଆଶାୟୀ ଉଭା ହେବାରୁ ଜୟପୁର ଆସନରେ ପ୍ରାର୍ଥୀ ଚୟନ କରିବା ଦଳ ପାଇଁ ଆଦୌ ସହଜ ନଥିଲା। ଏମିତି ଦ୍ବନ୍ଦ୍ବ ରହିଥିଲା ଯେ ଆଶାୟୀଙ୍କୁ ଶୀର୍ଷ ନେତୃତ୍ବ ବାରମ୍ବାର ଭୁବନେଶ୍ବର ଡକାଇଥିଲେ। ତିନି ଦିନ ତଳେ ଦଳ ଶେଷ ନିଷ୍ପତ୍ତି ନେଇ ପ୍ରାର୍ଥୀଙ୍କ ନାମରେ ମୋହର ଲଗାଇଥିଲା। ମହିଳା ସଶକ୍ତୀକରଣର ବାର୍ତ୍ତା ଦେବାକୁ ଦଳ ମହିଳା କାର୍ଡ ଖେଳିଛି। ଉଚ୍ଚଶିକ୍ଷିତା ଇନ୍ଦିରା ୨୦୨୦ ମସିହାରେ ସଂଗଠନ କାମରେ ସକ୍ରିୟ ହୋଇଥିଲେ। ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ରହିସାରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଇନ୍ଦିରା।

ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ଚିତ୍ରକୋଣ୍ଡା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଲକ୍ଷ୍ମୀପ୍ରିୟା ନାୟକ। ବିଜେଡି ପ୍ରାର୍ଥୀ ତଥା ନିଜ ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୨୫୪୫ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଁ ବିଜେଡିରେ ସାମିଲ ହୋଇ ଜିଲ୍ଲା ପରିଷଦ ଟିକେଟ୍‌ ପାଇଥିଲେ। ଭଲ ଭୋଟ ବ୍ୟବଧାନରେ ବିଜୟୀ ହେବାପରେ ବିଧାନସଭା ନିର୍ବାଚନ ଲାଗି ଲକ୍ଷ୍ୟ ରଖିଥିଲେ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଦଳ ଭିତରେ ହିଁ ବିରୋଧର ସମ୍ମୁଖୀନ ହୋଇଥିଲେ। ବିଧାୟକ ଦାଦା ପୂର୍ଣ୍ଣଚନ୍ଦ୍ର ବାକା ରାସ୍ତା ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନଥିଲେ ବି ଲକ୍ଷ୍ମୀପ୍ରିୟାଙ୍କ ଉପରେ ଦଳ ଭରସା ଦେଖାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ବିଧାନସଭା ଆସନରୁ ୫ଟି ଆସନ (୩୩ପ୍ରତିଶତ)ରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇଛି। ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନୁସୂୟା ମାଝୀ ରାୟଗଡ଼ା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ଉମରକୋଟରେ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ ଏବଂ ନବରଙ୍ଗପୁରରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଦଳ ପ୍ରାର୍ଥୀ କରିଛି। ଆଜି ଜୟପୁର ଏବଂ ଚିତ୍ରକୋଣ୍ଡା ଆସନରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି।

ସମ୍ବନ୍ଧିତ ଖବର