‘ମୌଳିକ ସୁବିଧା ପାଇଲୁନି, ଏଥର ଭୋଟ ବର୍ଜନ’: ଚରମବାଣୀ ଶୁଣାଇଲେ ଗଗଲିମାହାର ୬୦ ପରିବାର

ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୫କିମି, ସ୍କୁଲ ୩କିମି, ରାସ୍ତା କି ପାଣି ନାହିଁ, ଏକ କିମି ଦୂରରେ ଚୁଆ ପାଣି

ବାଲିଗୁଡ଼ା: ୧ ‘ବର୍ଷ ବର୍ଷ ବିତିଗଲା। ହେଲେ ଆଜି ପର୍ଯ୍ୟନ୍ତ ନା ରାସ୍ତାଟିଏ ନିର୍ମାଣ ହୋଇପାରିଲା ନା ସ୍କୁଲ୍‌। ପିଇବା ପାଣି ପାଇଁ ୧୨ ମାସ ସଂଘର୍ଷ। ଆଉ ନିର୍ବାଚନ ଆସିଲେ ନେତାଙ୍କ କେବଳ ମାଳମାଳ ପ୍ରତିଶ୍ରୁତି। କିନ୍ତୁ ପରେ ଫଳ ଶୂନ୍। ବାସ୍ ବହୁତ ହୋଇଗଲା। ଏଥର ନିର୍ବାଚନରେ ଭୋଟ ବର୍ଜନ କରିବୁ। ଆଉ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବୁନି’। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଋତୁଙ୍ଗିଆ ପଞ୍ଚାୟତର ଆଦିବାସୀଅଧ୍ୟୁଷିତ ଗଗଲିମାହା ଗ୍ରାମର ୬୦ ପରିବାର ଆଜି ଏହି ମର୍ମରେ ଚରମବାଣୀ ଶୁଣାଇଛନ୍ତି। ଗଗଲିମାହା, ପନିପଦର ଓ ପାଙ୍ଗାପଡ଼ା ତିନିଟି ସାହିକୁ ନେଇ ଗଗଲିମାହା ରାଜସ୍ବ ଗ୍ରାମ ଗଠିତ ହୋଇଛି। କିନ୍ତୁ ସମସ୍ତ ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହୋଇ ରହିଛନ୍ତି। ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ୍‌ଟିଏ ଆସିପାରୁ ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଦୋଳାରେ ବୋହି ନିଆଯାଉଛି। ଲଗାଣ ବର୍ଷା ହେଲେ କିରମାହା ନାଳରେ ପାଣି ଆସିଲେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜଳଯୋଗାଣରୁ ସେମାନେ ବଞ୍ଚିତ ‌ହୋଇରହିଛନ୍ତି। ତିନିଟି ନଳକୂପରୁ କଳଙ୍କିଯୁକ୍ତ ପାଣି ଆସିବା ସହ ପିଇବା ଉପଯୋଗୀ ହୋଇପାରୁ ନଥିବାରୁ ୧ କିଲୋମିଟର ଦୂର କିରାମାହା ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରାଯାଇଛି। ବିଶୁଦ୍ଧ ପାଣି ମିଳୁ ନଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଫଳରେ ଗାଁରେ ଶିକ୍ଷିତହାର କମ୍। ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗାଁଠୁ ୫ କିଲୋମିଟର ଦୂର କୁଟିଗୁଡ଼ା ଓ ସ୍କୁଲ୍ ପାଇଁ ୩ କିଲୋମିଟର ଦୂର ଗୁମାକିଆ ଯିବାକୁ ପଡ଼ୁଛି। ୨୦୧୨ ମସିହାରୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି ହେଉଥିଲେ ହେଁ, କୌଣସି ସୁଫଳ ମିଳୁନି।

ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ବାରମ୍ବାର ବିଧାୟକ, ସରପଞ୍ଚ, ବ୍ଲକ୍ ଅଧକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ବିଡିଓଙ୍କୁ ବହୁବାର ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଏଦିଗ‌ରେ କେହିବି ତତ୍ପରତା ଦେଖାଉନାହାନ୍ତି। ଚାରିବର୍ଷ ତଳେ ବାଲିଗୁଡ଼ା ବିଡିଓ କେବଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତଥାପି ସ୍ଥିତି ଯେମିତିକୁ ସେମିତି। ଫଳରେ ଗାଁର ମହିଳା ଓ ପୁରୁଷମାନେ ଆଜି ଏକାଠି ହୋଇ ଚଳିତ ସାଧାରଣ ନିର୍ବାଚନରେ ଭାଗ ନନେଇ ସମୂହ ଭୋଟ୍ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ଦେଇଛନ୍ତି। ଏଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ମିଳିଛି। ଗୁମାକିଆ, ତଳଗୁମାକିଆ, ଗଗଲିମାହା, ପନିପଦର ଓ ପାଙ୍ଗାପଡ଼ାକୁ ନେଇ ସ୍ବତନ୍ତ୍ର ଗଗଲିମାହା ୱାର୍ଡ଼ ଗଠନ ଦାବି କରାଯାଇଛି। ସଞ୍ଜୀବ ପ୍ରଧାନ, ଅଶୋକ ପ୍ରଧାନ, ଲକ୍ଷପତି ମଲ୍ଲିକ, ସଙ୍ଗୀତା ପ୍ରଧାନ ଓ ସରିତା ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର