ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁରୀର ଆଇପିଓ ଗିରଫ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରରେ କାର୍ଯ୍ୟରତ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ (ଆଇପିଓ) ସୀତାରାମ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଥିବାର ଖବର ମିଳିଛି।ଗତକାଲି ଭିଜିଲାନ୍ସ ପକ୍ଷରୁ ସୀତାରାମ ସାହୁଙ୍କ ବାସଭବନ ସମେତ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ୪ଜଣ ଡିଏସପି, ୫ଜଣ ଇନସ୍ପେକ୍ଟର୍ ଓ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଥିଲେ। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା।
ଭୁବନେଶ୍ୱରର କଳିଙ୍ଗ ବିହାରରେ ଗୋଟିଏ ସହିତ ଦୁଇ ମହଲା ବିଶିଷ୍ଟ କୋଠା, ନୟାଗଡ଼ ସହରରେ ଦୁଇ ମହଲା କୋଠାଘର ଠାବ କରାଯାଇଛି। ଏହାଛଡ଼ା କଣ୍ଟିଲୋରେ ଦୋକାନ ଘର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ୫ଟି ପ୍ଲଟ୍, ଗୋଟିଏ ଚାରି ଚକିଆ ଯାନ, ୪ଟି ଦୁଇଟି ଚକିଆ ଯାନ ଏବଂ ୩୪. ୭୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାଯାଇଛି। ତାଙ୍କର ମୋଟ୍ ୧ କୋଟି ୮ ଲକ୍ଷ ୭୮ ହଜାର ୭୫୨ ଟଙ୍କାର ସଂପତ୍ତି ଠାବ କରାଯାଇଛି। ସୀତାରାମ ସାହୁଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର ଜଜ୍ କୋର୍ଟକୁ ପଠାଯାଇଛି।

ସମ୍ବନ୍ଧିତ ଖବର