ଭଦ୍ରକରେ କଟକଣା : ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ : ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବର ଆଜି ନାମଯଜ୍ଞ ହୋଇଛି। ଆସନ୍ତାକାଲି ପାରମ୍ପରିକ ନଗର ସଂକୀର୍ତ୍ତନ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ଗାନ୍ଧୀ ପଡିଆକୁ ସୁଅ ଛୁଟିଛି। ନଗର ସଂକୀର୍ତ୍ତନ ପାଇଁ ସବୁଠି ଚଳଚଞ୍ଚଳ। ଏହାକୁ ଆକର୍ଷଣୀୟ କରିବା ପାଇଁ ଶ୍ରୀରାମନବମୀ ମହାଯଜ୍ଞ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ଶାନ୍ତିଶୃଙ୍ଖଳାରେ ସମାପନ ପାଇଁ କମିଟି ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି। ନଗର ସଂକୀର୍ତ୍ତନ ଯେଉଁ ଅଞ୍ଚଳ ଦେଇ ଯିବା କଥା ସେହି ଅଞ୍ଚଳ ଦେଇ ଯିବା ସହିତ ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ୪୬ଟି ମେଢ଼ ସାମିଲ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଠାରୁ ପୁଲିସ ପ୍ରଶାସନ ପଯ୍ୟର୍ନ୍ତ ସମସ୍ତେ ସଜାଗ ରହିଛନ୍ତି। ଏଥିପାଇଁ ସହରରେ ପୁଲିସ ଛାଉଣି ହୋଇଛି। ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଥିବା ବେଳେ ୩ କମାଣ୍ଡାଣ୍ଟ ଓ ଶହେରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସହରର ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି।

ଉତ୍ତରାଞ୍ଚଳ ଆଇଜି ବିନୟତୋଷ ମିଶ୍ରା, ଏସପି ଅନୁପ କୁମାର ସାହୁ ଓ ନୂତନ ଏସପି ପି. ଗଙ୍ଗାଧର ବାଟୁଳାଙ୍କ ସହ ଜିଲ୍ଲାର ବିଭିନ୍ନ ଏସଡିପିଓ, ଥାନାର ଅଧିକାରୀମାନଙ୍କୁ ନେଇ ବୈଠକ କରାଯାଇ କାଯ୍ୟର୍ପନ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଶାନ୍ତିକମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ କରାଯାଇ କିପରି ଶୃଙ୍ଖଳାର ସହ ନଗର ସଙ୍କୀର୍ତ୍ତନ ସମାପନ ହେବ ସେ ନେଇ ଆଲୋଚନା କରାଯାଇଛି। ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନ ଦେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିବା ସହିତ ସାଇବର ଅପରାଧକୁ ରୋକିବା ପାଇଁ ଆଜି ଠାରୁ ୨୬ ତାରିଖ ପଯ୍ୟର୍ନ୍ତ ୪୮ ଘଣ୍ଟା ପାଇଁ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଅଚଳ କରାଯାଇଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୪୪ ଧାରା ବଳବତ୍ତର ଥିବା ବେଳେ ଆସନ୍ତାକାଲି ନଗର ସଙ୍କୀର୍ତ୍ତନ ବେଳେ ଏହାକୁ କୋହଳ କରାଯାଇପାରେ ବୋଲି ସୂଚନା ମିଳିଛି। ସେହିପରି ରାଜ୍ୟ ସାଇବର କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ ବି. ସୁନ୍ଦରରାୟ, ଦୀପ୍ତିରଞ୍ଜନ ମହାନ୍ତି ଆଜି ଭଦ୍ରକରେ ପହଞ୍ଚି ସାଇବର କ୍ରାଇମ ଉପରେ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର