ଡାଙ୍ଗମାଳରେ ଖୋଲିବ ବିଶ୍ୱସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର

ଭୁବନେଶ୍ୱର : ଜୈବ ବିବିଧତାର ହଟ୍‌ସ୍ପଟ ଭାବେ ପରିଚିତ ଭିତରକନିକା ଉଦ୍ୟାନକୁ ଅଧିକ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ନିକଟବର୍ତୀ ଅଞ୍ଚଳରେ ଖୋଲିବ ବିଶ୍ୱସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପ୍ରିଟେସନ୍‌ ସେଣ୍ଟର)। ଡାଙ୍ଗମାଳରେ ସ୍ଥାପିତ ହେବ ଏହି କେନ୍ଦ୍ର। ଏଥିପାଇଁ ୩ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ସମନ୍ଵିତ ଉପକୂଳ ପରିଚାଳନା ପ୍ରକଳ୍ପ (ଆଇସିଜେଡ୍‌ଏମ୍‌ପି) ପକ୍ଷରୁ ଏହି ପ୍ରକଳ୍ପ ମଂଜୁର ହୋଇଛି।

ହେନ୍ତାଳ ବଣ ପରିବେଷ୍ଟିତ ଭିତରକନିକାରେ ଲୁଣିପାଣି କୁମ୍ଭୀର ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାର ସୁଯୋଗ ମିଳୁଥିବାରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୁଏ। ପର୍ଯ୍ୟଟକମାନଙ୍କୁ ସେହି ସ୍ଥାନ ବାବଦରେ ଆହୁରି ସହଜ କରିବା ପାଇଁ, ବ୍ୟାଖ୍ୟାନ କେନ୍ଦ୍ରର ପରିକଳ୍ପନା କରାଯାଇଛି। ଏହି କେନ୍ଦ୍ରରେ ଭିତରକନିକାର ସବିଶେଷ କଥା ଜାଣିବାର ସୁଯୋଗ ମିଳିପାରିବ। ପର୍ଯ୍ୟଟକଙ୍କ ଆଗମନ ବଢ଼ାଇବାରେ ଏହା ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଏଠାକାର ପରିବେଶ ସମ୍ବନ୍ଧରେ ସବିଶେଷ ସୂଚନା ମିଳିପାରିବ। ସେଥିପାଇଁ ଏକ୍ସପର୍ଟମାନଙ୍କର ମୂଲ୍ୟବାନ ପରାମର୍ଶ ନିଆଯାଉଥିବା ବେଳେ ପରାମର୍ଶ ଭିତ୍ତିରେ ଏହି କେନ୍ଦ୍ରକୁ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଇସିଜେଡ୍‌ଏମ୍‌ପିର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି।

ଦେଶର ୭୦ ପ୍ରତିଶତ ଲୁଣିପାଣି କୁମ୍ଭୀର ଏଇଠି ରହୁଥିବା ବେଳେ ମାଛରଙ୍କା, ଗେଣ୍ଡାଳିଆ, କାଠହଣା, ବଗ ଭଳି ୧୭୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳେ। ତେଣୁ ପ୍ରତି ବର୍ଷ ଏଠାକୁ ପାଖାପାଖି ୧ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାଖ୍ୟାନ କେନ୍ଦ୍ର ଗଠନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଡଙ୍ଗାରେ ବୁଲିବା ବେଳେ ଦୁଇ ପାର୍ଶ୍ୱରେ ଥିବା ହେନ୍ତାଳ ବଣ ଭିନ୍ନ ଅନୁଭବ ଦେଇଥାଏ।

୧୯୯୯ ମସିହା ମହାବାତ୍ୟା ବେଳେ ଏହି ହେନ୍ତାଳ ବଣ ସ୍ଥାନୀୟ ଅଞ୍ଚଳ ପାଇଁ ସୁରକ୍ଷା କବଚ ସାଜିଥିଲା। ଏହିପରି ଅନେକ ଅଜଣା ତଥ୍ୟ ଏହି ବ୍ୟାଖ୍ୟାନ କେନ୍ଦ୍ରରୁ ଜାଣିବାର ସୁଯୋଗ ମିଳିବ। ସରକାରଙ୍କର ଏହି ନିଷ୍ପତ୍ତି ରୂପରେଖ ନେଲେ ଭିତରକନିକାକୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବ। ତେବେ ଏହା କେବେ ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର