ଦଳୀୟ ଟିକେଟ୍ ପାଇବା ପରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ସାକ୍ଷାତକାର

ତାରିଖ ପାଖେଇ ଆସୁଛି । ଦିନକୁ ଦିନ ନିର୍ବାଚନ ତାତି ବି ବଢ଼ୁଛି । ଦଳ ଡିଆଁ, ଦଳୀୟ କନ୍ଦଳ, ଗୋଷ୍ଟୀ ବିବାଦ ସବୁ ଠାରୁ ଅଧିକ ଚର୍ଚ୍ଚାର ଖେରାକ୍ ଯୋଗାଉଛି । ଛକାପଞ୍ଝା ଭିତରେ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି । ଦଳୀୟ ଟିକେଟ୍ ପାଇବା ପରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୋମନାଥ ପରିଡ଼ା……

ପ୍ରଶ୍ନ: ଆପଣଙ୍କୁ ପ୍ରଥମେ ସ୍ୱାଗତ କରୁଛି । ଆଜି ବିଜେପି ପ୍ରାର୍ଥୀ ହେଲେ ପ୍ରଥମ ପ୍ରତିକ୍ରିୟା କଣ ରହିବ ।
ଉତ୍ତର- ଦଳ ପାଖରେ ନିଜର କୃଜ୍ଞାତା ଜ୍ଞାପନ କରିବି । ଦଳର ସଭାପତି ମୋ ଉପରେ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସୁଚାରୁରୂପେ ସମ୍ପାଦନ କରିବି । ନିର୍ବାଚନ ମଣ୍ଡଳୀର ହଜାର ହଜାର କାର୍ଯ୍ୟକର୍ତ୍ତା ତାଙ୍କୁ ନେଇ ନିର୍ବାଚନ ଲଢ଼ିବା ଓ ଜିତିକି ଦେଖାଇବା ଆମର ମୂଳ ଲକ୍ଷ୍ୟ । ୨୦୨୪ରେ ବିଜେପି ସରକାରର ଆରମ୍ଭ ତିର୍ତ୍ତୋଲରୁ ହିଁ ହେବ ।

ପ୍ରଶ୍ନ: କଂଗ୍ରେସରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇଥିଲେ । ହାତ ଛାଡ଼ି ବିଜେପିକୁ ଆସିଲେ । ଆସୁ ଆସୁ ବିଦ୍ରୋହର ଶିକାର ହେଲେ?
ଉତ୍ତର: ସମଗ୍ର ପୃଥିବୀରେ ଭାରତୀୟ ଜନତା ପାର୍ଟି ହେଉଛି ସବୁଠାରୁ ଲୋକପ୍ରିୟ ଦଳ । ତେଣୁ କାର୍ଯ୍ୟକର୍ତ୍ତାଙ୍କ ସାମାନ୍ୟ ମତଭେଦ ଥାଇପାରେ । ସେଥିରେ କିଛି ଯାଏ ଆସେ ନାହିଁ । ନିଶ୍ଚିତ ଭାବେ ଆମକୁ ଲୋକ ଗ୍ରହଣ କରିଛନ୍ତି । ବିଜେପିର ଆମେ ସମସ୍ତେ ଜଣେ ଜଣେ କାର୍ଯ୍ୟକର୍ତ୍ତା । ଆଗାମୀ ଦିନରେ ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ କରିବୁ ।

ପ୍ରଶ୍ନ: ରମାକାନ୍ତ ଭୋଇ କହୁଛନ୍ତି ସେ ୪ ହଜାରୁ ୫୪ ହଜାର ଭୋଟ୍ କରିଥିଲେ । ଦଳ ତାଙ୍କୁ ଅଣଦେଖା କଲା । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ସିଂହ ଭାଗ ଭୋଟ୍ ଅଛି ।
ଉତ୍ତର: ଦଳ ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବର୍ତ୍ତମାନ ସୁଦ୍ଧା ସେ କୌଣସି ଦଳକୁ ଯାଇ ନାହାନ୍ତି । ବର୍ତ୍ତମାନ ପୁଣି ସେ ଆସି ପାରନ୍ତି । କହି ହେବନାହିଁ । ବିଜେପିର କାର୍ଯ୍ୟକର୍ତ୍ତା ତାଙ୍କ ଯୋଗାଯୋଗରେ ଅଛନ୍ତି । ହୁଏତ ତାଙ୍କର ମନାନ୍ତର ମତାନ୍ତର ଥାଇପାରେ । ସେ ପୁଣି ଆସି ପାରନ୍ତି ।

ପ୍ରଶ୍ନ: ଆପଣ କେତେ ଦୂର ଆଶାବାଦୀ ଅଛନ୍ତି ବିଜୟକୁ ନେଇ?
ଉତ୍ତର: ଆମେ ଶତ ପ୍ରତିଶତ ଆଶାବାଦୀ । ନବୀନ ସରକାରର କୁଶାସନ ଚାଲିଛି । କୋଭିଡ୍ ପରିଚାଳନାରେ ସେ ଫେଲ୍ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ବନ୍ଦ କରୁଛନ୍ତି । ଲୋକମାନେ ତାତି କରି ଅଛନ୍ତି ବିଜେଡି ବିପକ୍ଷରେ ଏଥର ଭୋଟ୍ ଦେବେ । ତାଙ୍କ ଭିତରେ ଅର୍ନ୍ତଦ୍ୱନ୍ଦ ରହିଛି ତାର ଫାଇଦା ବିଜେପି ନେବ ।

ପ୍ରଶ୍ନ: ତିର୍ତ୍ତୋଲ ପାଇଁ ବିଜେପିର କଣ ମୁଦ୍ଦା ରହିବ?
ଉତ୍ତର: ମୁଦ୍ଦା ତ ଅନେକ ରହିଛି । ବହୁତ ଗୁଡ଼ିଏ ସମସ୍ୟା ରହିଛି । ଯେଉଁମାନେ ବିଗତ ଦିନରେ ତିର୍ତ୍ତୋଲର ନେତୃତ୍ୱ ଧରିଥିଲେ କୌଣସି ସମସ୍ୟା ଗୃହରେ ଉଠାଇ ନାହାନ୍ତି । କୌଣସି ସ୍ଥାନରେ ଦାବି ଉଠାଇ ନାହାନ୍ତି । ଜନସାଧାରଣ ଭୋଟ୍ ନେଇ ନେତା ନିର୍ବାଚିତ କରି ଦେଲେ ନେତା ଯାଇ ପକୁଡ଼ି ବରା ଖାଇବେ। ଭତ୍ତା, ଇନ୍ଦିରା ଆବାସ ବାଣ୍ଟିବେ ଏ କଣ ପ୍ରକୃତ କାମ ।

ପ୍ରଶ୍ନ: ଲୋକଙ୍କ ସୁବିଧା ପାଇଁ ସରକାର ଦୁଇ ଦୁଇଟି ସେତୁ ଘୋଷଣା କରିଛନ୍ତି
ଉତ୍ତର: ଯିଏ ସରକାରରେ ରହିବ ସେ କରିବା ପାଇଁ ବାଧ୍ୟ । କିନ୍ତୁ ନିର୍ବାଚନ ପୂର୍ବରୁ ଲଲିପପ୍ ଦେବାର କାରଣ କଣ । ଯଦି କରୁଛି ସ୍ୱାଗତ କରିବା ଉଚିତ । ଦୟା କରୁନାହିଁ । ଲୋକ ମାନଙ୍କ ଅସୁବିଧାକୁ ସୁବିଧା କରିବା ସକରାକରଙ୍କ ମୌଳିକ କାମ। ଏଥିରେ ବଡ଼ କଥା କିଛି ନାହିଁ ।

ପ୍ରଶ୍ନ: ଆପଣ ତିର୍ତ୍ତୋଲ ପାଇଁ କଣ ଚିନ୍ତା କରିଛନ୍ତି ?
ଉତ୍ତ: ଶାରଳା ସୂତାକଳ ପୁଣି ଚାଲିବ । ଲୋକମାନେ ନିଯୁକ୍ତି ପାଇବେ । ଚାଷୀଙ୍କ ପାଇଁ ଜଳସେଚନ ଓ ନିଷ୍କାସନ ବ୍ୟବସ୍ଥା କରିବୁ । ରଘୁନାଥପୁରରେ ଶୀତଳ ଭଣ୍ଡାର କରିବୁ । ହଂସୁଆକୁ ଆଧୁନିକ ଜ୍ଞାନ କୌଶଳରେ କାର୍ଯ୍ୟ କରାଯିବ । ଚାଷୀଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ । ସେହିପରି ଯୁବକ ମାନଙ୍କୁ ରୋଜଗାର କିଭଳି ଯୋଗାଇ ଦିଆଯିବ ତାର ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର