ଅନ୍ୟ ରାଜ୍ୟରେ ଏବେ ବି ଅ-ତିଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ହେଉଛି : ଅ-ତିଥିରେ ରଥଯାତ୍ରା ନକରିବାକୁ ସ୍ପଷ୍ଟ କଲା ରଥଯାତ୍ରା ମହୋତ୍ସବ କମିଟି

ଭୁବନେଶ୍ବର : ଲୁଧିଆନା ଇସ୍କନ୍‌ ମନ୍ଦିର ଅ-ତିଥିରେ ରଥଯାତ୍ରା କରିବ ନାହିଁ ବୋଲି ୨ ଦିନ ତଳେ ଘୋଷଣା କରିବା ପରେ ସେଇ ଲୁଧିଆନାର ‘ରଥଯାତ୍ରା ମହୋତ୍ସବ କମିଟି’ ମଧ୍ୟ ଅ-ତିଥିରେ ରଥଯାତ୍ରା କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଗୋପୀନାଥ ମହାନ୍ତି ‘ରଥଯାତ୍ରା ମହୋତ୍ସବ କମିଟି’ର ଅଧ୍ୟକ୍ଷ ସତୀଶ ଗୁପ୍ତାଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ ସେପ୍ଟେମ୍ବର ୨୯ ତାରିଖରେ ରଥଯାତ୍ରା କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଲା। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଏଥିପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଦିଆଯାଇଥିଲା। ମାତ୍ର ପରିଷଦ ଓ ଅନ୍ୟାନ୍ୟ ସାଂସ୍କୃତିକ ସଂଗଠନର ବିରୋଧ ଯୋଗୁଁ ଶେଷରେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି ବୋଲି ସୂଚନା ଦିଆଯାଇଛି।

ଆଜି ଜୟଦେବ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅନ୍ୟ ରାଜ୍ୟରେ ଥିବା ଇସ୍କନ୍‌ ସଂସ୍ଥା ମଧ୍ୟ ଅସମୟରେ ରଥଯାତ୍ରା କରୁଛନ୍ତି। ବିଶେଷକରି ଚଣ୍ଡୀଗଡ଼ର ଇସ୍କନ ପକ୍ଷରୁ ୩୦ କିଲୋମିଟର ଦୂରରେ ଏବେ ମଧ୍ୟ ଅ-ତିଥିରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ହେଉଛି। ଦୀର୍ଘ ୧୭ ବର୍ଷରୁ ଅଧିକ ବର୍ଷ ଧରି ଲୁଧିଆନା ଇସ୍କନ୍‌ ମନ୍ଦିର ପକ୍ଷରୁ ଆୟୋଜନ ହୋଇ ଆସୁଥିବା ରଥଯାତ୍ରାକୁ ଯଦି ଆମେ ସମ୍ମିଳିତ ଭାବେ ସ୍ବର ଉଠାଇ ବନ୍ଦ କରିବା ପାଇଁ ସକ୍ଷମ ହେଲେ ତେବେ ଅନ୍ୟ ରାଜ୍ୟରେ ଅ-ତିଥିରେ ହେଉଥିବା ରଥଯାତ୍ରାକୁ ମଧ୍ୟ ବନ୍ଦ କରାଯିବ ବୋଲି ସେ କହିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ହେବ ବୋଲି ମତ ରଖିଥିବାରୁ ଭାରତ ବର୍ଷର ସମସ୍ତ ଜଗନ୍ନାଥ ପ୍ରେମୀ ଏହାକୁ ଗ୍ରହଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଏନେଇ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କିନ୍ତୁ କଡ଼ା ଭାଷାରେ ଇସ୍କନ୍‌ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ ଇସ୍କନ ଜଗନ୍ନାଥଙ୍କୁ ନେଇ ବ୍ୟବସାୟ କରୁଛି। ତେଣୁ ସେ ଇସ୍କନ୍‌ ହଟାଅ, ଜଗନ୍ନାଥ ସଂସ୍କୃତ ବଞ୍ଚାଅ’ ନାରା ଦେଇଥିଲେ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମଥର ପାଇଁ ବିଧାନସଭାରେ ଲୁଧିଆନାରେ ଅ-ତିଥିରେ ହେଉଥିବା ରଥଯାତ୍ରା ବନ୍ଦ କରିବା ନେଇ ମତ ରଖିଥିବାରୁ ଏବଂ ଅ-ତିଥିରେ ରଥଯାତ୍ରା ବନ୍ଦ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ପରିଷଦ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ବ୍ୟକ୍ତ କରାଯାଇଛି। ପରିଷଦର ସମ୍ପାଦକ ଦେବେନ୍ଦ୍ର ଦାଶ, ପୀତବାସ ରାଉତରାୟ, ନରେଶ ଚନ୍ଦ୍ର ଦାଶ, ରବୀନ୍ଦ୍ରନାଥ ପ୍ରତିହାରୀ, ରାଧାଶ୍ୟାମ ପାତ୍ର, ନାରାୟଣ ମହାପାତ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ନିଜର ମତ ରଖଥିଲେ।

ସମ୍ବନ୍ଧିତ ଖବର