ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ: ୩୦ରେ ଦେବେ ସତ୍ୟପାଠ

ପୁରୀ: ଶ୍ରୀମନ୍ଦିର ସଂସ୍କାରକୁ ନେଇ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୫ ତାରିଖରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଥିବାରୁ ରାଜ୍ୟ ସରକାର କି ପ୍ରକାର ସତ୍ୟପାଠ ଦାଖଲ କରିବେ ସେ ନେଇ ବିଚାର ବିମର୍ଶ କରିଛନ୍ତି।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ଆଇନମନ୍ତ୍ରୀ ପ୍ରତାପ ଜେନା, ଆଡଭୋକେଟ ଜେନେଲାଲ ଏସ୍‌.ପି ମିଶ୍ରଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା। ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ସତ୍ୟପାଠରେ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ସେ ନେଇ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ପରାମର୍ଶ ନିଆଯାଇଥିଲା। ସତ୍ୟପାଠରେ ପୂର୍ବରୁ ଗଠନ କରାଯାଇଥିବା ତଦନ୍ତ କମିସନ ଓ ଏହାର କାର୍ଯ୍ୟକାରିତା ସଂପର୍କରେ ଏକ ବିସ୍ତତ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ବିଶେଷଜ୍ଞ କମିଟି ପକ୍ଷରୁ ଶ୍ରୀମନ୍ଦିରର ଧାଡି ଦର୍ଶନ ତଥା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତିି ହୋଇଛି। ଆଗକୁ ନିର୍ବାଚନ ଥିବାରୁ ସରକାର ଶ୍ରୀମନ୍ଦିର ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଛନ୍ତି। କୌଣସି ବିବାଦୀୟ ତଥା ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜିବ ମାପିଚୁପି ସତ୍ୟପାଠ ଦାଖଲ କରିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର