ଆସନ୍ତାକାଲି ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ, ଜାଣନ୍ତୁ ମହାଶିବରାତ୍ରିର ପୂରା ନୀତିନିର୍ଘଣ୍ଟ

ଭୁବନେଶ୍ବର: ରାତି ପାହିଲେ ସମଗ୍ର ରାଜ୍ୟର ଶିବ ମନ୍ଦିରଗୁଡ଼ିକରେ କୋଭିଡ କଟକଣା ଭିତରେ ମହାଶିବରାତ୍ରୀ ପାଳନ ହେବ।  ଚଳିତ ବର୍ଷ କଟକଣା ସହିତ ଶିବ ମନ୍ଦିର ଯାଇ ଦର୍ଶନ କରିବେ ଶ୍ରଦ୍ଧାଳୁ। ସଂକ୍ରମଣକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ବରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ନୀତିନିର୍ଘଣ୍ଟ ପ୍ରକାଶ ପାଇଛି। ନୀତିନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ରାତି ୧୦ଟାରେ ମହାଦୀପ ଉଠିବ । ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ ଭୋର ୩ଟାରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ତା’ପରଦିନ ପ୍ରତ୍ୟୁଷ ୫ଟା.୧୫ରେ ପହୁଡ଼ ହେବ।

ଭୋର ୩ଟାରୁ ୩ଟା୩୦ ମଧ୍ୟରେ ମଙ୍ଗଳ ଆଳତି ଏବଂ ଅବକାଶ ହେବା ସହ ‌ଭୋର ୩ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସକାଳ ୬ଟା ୩୦ରେ ରୋଷ ହୋମ ହେବା ସହ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ, ୧୨.୪୫ରୁ ୨.୩୦ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ  ଶ୍ରୀଜିଉଙ୍କ ସକାଳ ଧୂପ, ୨.୩୦ରୁ ୨.୪୫ ମଧ୍ୟରେ ଶ୍ରୀଭୁବନେଶ୍ବରୀଙ୍କ ସକାଳ ଧୂପ ହେବ, ୨.୪୫ରୁ ୩.୪୫ ମଧ୍ୟରେ ଭୋଗ ମଣ୍ଡପ, ୩.୪୫ରୁ ୪.୪୫ ସାହାଣମେଲା ଦର୍ଶନ, ୪.୪୫ରୁ ସନ୍ଧ୍ୟା ୫.୧୫ ଛାମୁ ପରିଷ୍କାର, ୫.୧୫ରୁ ୫.୪୫ ଶ୍ରୀଜିଉଙ୍କ ବେଶ, ୫.୪୫ରୁ  ସଂଧ୍ୟା ୭ ବାର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ ଓ ଭୁବନେଶ୍ବରୀଙ୍କ ଦ୍ବିପ୍ରହର ଧୂପ, ୭ଟାରୁ ୭.୧୦ ଶ୍ରୀଜିଉଙ୍କ ପହୁଡ଼, ୭.୧୦ରୁ ୭.୩୦ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା, ୭.୩୦ରୁ ୮.୧୦ ଶ୍ରୀଜିଉଙ୍କ ଓ ବେଶ, ୮.୧୦ରୁ୮.୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮.୫୫ରୁ ରାତି ୧୦ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ ହେବା ସହ ରାତି ୧୦ଟାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି।

ମହାଦୀପ ଉଠିସାରିବା ପରେ ରାତି ୧୦-୧୧ଟା ପର୍ଯ୍ୟନ୍ତ ପୁଣି ଥରେ ସାହାଣମେଲା ଦର୍ଶନ ସହ ୧୧-୧୧.୩୦ ଭୁବନେଶ୍ବରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀ ଜୀଉଙ୍କ ଛାମୁ ପରିଷ୍କାର, ରାତି ୧୧.୩୦-ଭୋର ୩.୩୦ ଚାରି ପ୍ରହର ପୂଜା, ଭୋର ୩.୩୦-୪.୩୦ ହରିହର ଭେଟ ଏବଂ ୪.୩୦-୫.୧୫ ବଡ଼ ସିଂହାର ଓ ପହୁଡ଼।

ସମ୍ବନ୍ଧିତ ଖବର