ସନ୍ଦେହରେ ଯୋଗାଣ ବିଭାଗର ଦସ୍ତଖତ ଅଭିଯାନ : ଗ୍ରାମବାସୀ ଗୋଡ଼ାଇବାରୁ ଖସିଗଲେ କର୍ମଚାରୀ

ଯାଜପୁର/ଦଶରଥପୁର/କୋରେଇ : ଲକ୍‌ଡାଉନ୍‌ରେ କାମଧନ୍ଦା ନପାଇ ଶହଶହ ଗରିବ ପରିବାର ‌ଭୋକ ଉପବାସରେ ଦିନ କାଟୁଥିବାର ବିକଳ ଚିତ୍ର ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ଜିଲ୍ଲାର କୋଟି କୋଟି ଟଙ୍କାର ରାସନ କେଳେଙ୍କାରୀ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଯାଜପୁର ଜିଲ୍ଲାର ରାସନ କେଳେଙ୍କାରୀ ବହୁ ପୁରୁଣା। ବାରମ୍ବାର ଆପତ୍ତି ଅଭିଯୋଗ ପରେ ଠୋସ୍‌ ପଦକ୍ଷେପ ନନେଇ ଏଠାରେ ତଦନ୍ତକୁ ବିଭ୍ରାନ୍ତ କରାଯିବାର ଅନେକ ନିଜର ରହିଛି। ଗରିବ ପରିବାରକୁ ରାସନ ନମିଳିବା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବା ବେଳେ ଦୁର୍ନୀତିକୁ ଚାପିଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଯାହାକି ଆଜି ପଦାରେ ପଡ଼ିଛି।

ସୂଚନା ଅନୁସାରେ, ଧର୍ମଶାଳା ବ୍ଲକ୍ ଆରୁହା ପଞ୍ଚାୟତକୁ ଲୋକଙ୍କଠାରୁ ଦସ୍ତଖତ ନେବାକୁ ଆସିଥିଲେ ଜଣେ ଯୋଗାଣ କର୍ମଚାରୀ ଅଜିତକୁମାର ଦାସ । ଏହା ଜାଣିବା ପରେ ଗ୍ରାମବାସୀ ତାଙ୍କୁ ଅଟକ ରଖିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର, ସେ କୌଶଳକ୍ରମେ ଖସି ଚାଲିଯାଇଥିଲେ। ଏହି ପଂଚାୟତ ଅନ୍ତର୍ଗତ କୋଲ୍ଲା ଗ୍ରାମର ପାର୍ବତୀ ସାହାଣୀଙ୍କ ରାସନ ସାମଗ୍ରୀ ଓ ହଜାରେ ସହାୟତା ରାଶି ସମ୍ପୃକ୍ତ ଡିଲର ହଡ଼ପ କରିଥିବା ‌ନେଇ ଅଭିଯୋଗ ହୋଇଥିଲା। ମାତ୍ର, ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହା ବଦଳରେ ଲୋକମାନଙ୍କୁ ଭୂତାଇ ଦସ୍ତଖତ ସଂଗ୍ରହ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। କର୍ମଚାରୀ ଶ୍ରୀ ଦାସଙ୍କୁ ପଚାରିବାରୁ ‘ସାର୍‌ ତାଙ୍କୁ ପଠାଇଛନ୍ତି’ ବୋଲି ସେ ସ୍ବୀକାର କରିଥିବା ଗ୍ରାମବାସୀ କହିଛନ୍ତି।

ଏ ବିଷୟରେ ବ୍ଲକ ଯୋଗାଣ ଅଧିକାରୀ ଉପେନ୍ଦ୍ର କୁମାର ଭୋଇଙ୍କୁ ପଚାରିବାରେ କିଛି ଅନୁପସ୍ଥିତ ଲୋକ ଏବେ ବି ଟଙ୍କା ଏବଂ ରାସନ ନେଉଛନ୍ତି । ଆଉ ଅନ୍ୟମାନଙ୍କର କାର୍ଡ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର