ଦିନଟିଏ ଗାଡ଼ି ଚଳାଇ କାମ ଛାଡ଼ୁଛନ୍ତି ଡ୍ରାଇଭର୍, ଥାନାରେ ଅଭିଯୋଗ କଲେ ବିଡିଓ

ଯାଜପୁର(ଅନିଲ କୁମାର ପଣ୍ଡା): କ‌ରୋନା ମୁକାବିଲା ସମୟରେ ଯାଜପୁର ଜିଲ୍ଲାରେ ଧୋକା ଦେଉଛି ଘରୋଇ ଭଡ଼ା ଗାଡ଼ି। ଜିଲ୍ଲା ପ୍ରଶାସନ ଓ  ପରିବହନ ବିଭାଗ ପକ୍ଷରୁ ଶତାଧିକ ଗାଡ଼ିକୁ ଭଡ଼ା ସୂତ୍ରରେ ଆଣି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। କିନ୍ତୁ ସବୁ  ସୁବିଧା ‌ସୁଯୋଗ ଦେଲା ପରେ ବି କିଛି ଗାଡ଼ି ଦିନ ଦୁଇଦିନ କାମ କରି  ରହିଯାଉଛନ୍ତି, ଯାହାକି କରୋନା କାର୍ଯ୍ୟରେ ବାଧା ସୃଷ୍ଟି କରାଯାଇଛି। ତେବେ ପ୍ରାଥମିକ ଭାବେ   ଦଶରଥପୁର ବିଡିଓ ବିନା କାରଣରେ କାର୍ଯ୍ୟରେ ବିରତ ହୋଇଥିବା ଗାଡ଼ି ବିରୁଦ୍ଧରେ ଦଶରଥପୁରର ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା  ଅନୁସାରେ  ଯାଜପୁର ଜିଲ୍ଲା ଏବେ ସାରା ରାଜ୍ୟରେ କରୋନା ତାଲିକାରେ ପ୍ରଥମ ସ୍ଥାନ‌ରେ ରହିଛି।   ଏବେ ଜିଲ୍ଲାର  ୬ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଏଯାବତ୍  ୫୫ ଜଣରୋଗୀଙ୍କ ମଧ୍ୟରୁ ୫୪ ଜଣ ସକ୍ରିୟ  ରୋଗୀ ଅଛନ୍ତି।  କରୋନାର ମୁକାବିଲା କରିବା ପାଇଁ  ସ୍ବାବ୍ ସଂଗ୍ରହ,  ପ୍ରବାସୀ ଫେରନ୍ତାଙ୍କୁ ସଂଗରୋଧ ଗୃହରେ ଛାଡିବା ଅଧିକାରୀଙ୍କ ଯାତାୟତ ଓ ପୁଲିସ ସୁରକ୍ଷା ପାଇଁ  ବ୍ୟାପକ ସରକାରୀ ଗାଡ଼ି ନାହିଁ। ତେଣୁ ପରିବହନ ବିଭାଗ ସହଯୋଗରେ ଗାଡ଼ି ଭଡ଼ା ସୂତ୍ରରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରାଯାଉଛି।  କିନ୍ତୁ ଅନେକ ସମୟରେ ଗାଡ଼ି ମାଲିକ କରୋନା ମୁକାବିଲାରେ ସହାୟତା କରିବେ ବୋଲି  କହୁଥିବା ବେଳେ ଡ୍ରାଇଭରମାନେ କାମରୁ ଚମ୍ପଟ ମାରୁଛନ୍ତି।

ସୂଚନା ଅନୁସାରେ  ପ୍ରତି ବ୍ଲକ ଓ ପୌରାଞ୍ଚଳ‌ରେ  ବିଭାଗୀୟ ପରିବହନ ପାଇଁ ୨ଟି ଲେଖାଏଁ ବୋଲେରୋ ଓ ୨ଟି ଆମ୍ବୁଲାନସ,  ରିଜର୍ଭରେ ୧୦ଟି ଗାଡ଼ି ରଖାଯାଇଛି।  ସୁରକ୍ଷା ପାଇଁ ପୁଲିସ ବିଭାଗକୁ ୩୦ଟି ଗାଡ଼ି ଦିଆଯାଇଥିବା ବେଳେ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟକୁ  ୨୦ଟି ଆମ୍ବୁଲାନସ ଓ ୨୦ଟି ବୋଲେରୋ ପ୍ରଦାନ କରାଯାଇଛି।  ଗାଡ଼ି ଡ୍ରାଇଭରଙ୍କ ସୁରକ୍ଷା ପାଇଁ ପିପିପି କିଟ, ମାସ୍କ, ଗ୍ଳୋବସ୍,  ସାନିଟାଇଜର ସହ ବିଡିଓମାନଙ୍କ ଜରିଆରେ  ଖାଇବାର ବ୍ୟବସ୍ଥା କରାଯାଇଛି। ପ୍ରତି ଗାଡିକୁ ସାନି ଟାଇଜ କରାଯାଉଛି। ଏହା ଭିତରେ ଏପରି ଏକ ଘଡିସନ୍ଧି ସମୟରେ ଡ୍ରାଇଭରମାନେ ଖସି ପଳାଇବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଜିଲ୍ଲାରେ ୧୦ରୁ ଅଧିକ ଗାଡ଼ି ଡ୍ରାଇଭର କାର୍ଯ୍ୟରୁ ପଳାଇ ଯାଇଥିବା ‌ବେଳେ କେତେକ ଯିବାକୁ ଧମକ ଦେଉଛନ୍ତି। ତେଣୁ  ଏପରି  ସମୟରେ ଜରୁରୀ କାର୍ଯ୍ୟରେ ଅସହଯୋଗ କରିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେଣୁ ଦଶରଥପୁର ବିଡିଓ  କାର୍ଯ୍ୟରେ ଅସହଯୋଗ କରିଥିବା ବୋଲେରୋ  ଓଆର-୨୨ଏଫ୍-୮୫୮୯ ଗାଡ଼ିର ମାଲିକଙ୍କ ବିରୁଦ୍ଧରେ ମଙ୍ଗଳପୁର ଥାନାରେ ଲିଖିତ  ଅଭିଯୋଗ କରିଥିବା ଜଣାଯାଇଛି। ଅନ୍ୟ ବିଡିଓମାନଙ୍କୁ ମଧ୍ୟ ଏପରି କାର୍ଯ୍ୟ କରୁଥିବା ଗାଡ଼ି ବିରୁଦ୍ଧରେ  ଏତଲା କରିବାକୁ ନିର୍ଦେଶ ରହିଛି।  କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା  ଲୋକଙ୍କୁ କରୋନା ଯୋଦ୍ଧାର ଆଖ୍ୟା ମିଳୁଥିବା ବେଳେ ଏପରି ସମୟରେ ସହଯୋଗର ହାତ ଛାଡ଼ୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

 

ସମ୍ବନ୍ଧିତ ଖବର