୮ ବର୍ଷ ପରେ କଙ୍କାଳ ମିଳିବା ଘଟଣା : ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର/ଭୁବନେଶ୍ବର : ସମ୍ବଲପୁର ନନ୍ଦପଡ଼ା ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ପୁଲିସ ଅଧିକାରୀଙ୍କ ଅବହେଳା ପ୍ରମାଣିତ ହୋଇଛି। ୨୦୧୧ ମସିହାର ତତ୍‌କାଳୀନ ସମ୍ବଲପୁର ଏସ୍‌ପି ନିଖିଲ କାନୋଡିଆ ଓ ଟାଉନ୍‌ ଥାନା ଅଧିକାରୀ ଆର୍‌ଏନ୍‌ ଦେଓଙ୍କ ଅବହେଳା ଯୋଗୁଁ ଅଭିଯୁକ୍ତ ଗିରଫ ହେବାକୁ ୮ ବର୍ଷ ସମୟ ଲାଗିଛି। ଖାଲି ସେତିକି ନୁହେଁ, ମୃତ ମହିଳାଙ୍କ ପରିବାରବର୍ଗ ୮ ବର୍ଷ କାଳ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଛନ୍ତି। ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଏହି ସବୁ ସମସ୍ୟା ଛିଡ଼ା ହୋଇଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ମୃତ ମହିଳାଙ୍କ ଝିଅ ତଥା ଜେଏନ୍‌ୟୁ ଛାତ୍ରୀ ବିଜୟିନୀ ମିଶ୍ର ପୁଲିସ ଏଡିଜି(କ୍ରାଇମ୍‌ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟଙ୍କୁ ଭେଟିଛନ୍ତି। କିଭଳି ତ୍ବରିତ ନ୍ୟାୟ ମିଳିପାରିବ, ପୁଲିସ ତତ୍ପର ହେବା ପାଇଁ ସେ ଅନୁରୋଧ କରିଛନ୍ତି। ଏଡିଜି ଶ୍ରୀ ଉପାଧ୍ୟାୟ ଏହାକୁ ଗୁରୁତ୍ବର ସହ ନେଇ ନିରପେକ୍ଷ ତଦନ୍ତ ସହ ‌ମୃତ ମହିଳାଙ୍କ ପରିବାରବର୍ଗକୁ ନ୍ୟାୟ ପ୍ରଦାନ ପାଇଁ ଯତ୍‌ପରନାସ୍ତି ଉଦ୍ୟମ କରାଯିବ ବୋଲି କହିଛନ୍ତି। ଯେଉଁମାନଙ୍କ ଅବହେଳା ପାଇଁ ଏହି ସବୁ ସମସ୍ୟା ଛିଡ଼ା ହୋଇଛି, ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

୨୦୧୧ ନଭେମ୍ବର ୨୫ତାରିଖରେ ଜୟଶ୍ରୀ ଝିଅ ବାହାଘର ନିମନ୍ତ୍ରଣପତ୍ର ଦେବା ପାଇଁ ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାଙ୍କ ଘରକୁ ଯାଉଥିଲେ। ହେଲେ ଆଉ ଫେରିନଥିଲେ। ବସନ୍ତଙ୍କ ନାମରେ ଟାଉନ ଥାନାରେ ଏତଲା ଦିଆଯାଇ ଥିଲେ ମଧ୍ୟ ପୁଲିସ ତଦନ୍ତ କରି ନଥିଲା। ବିଭିନ୍ନ ସମୟରେ ଜୟଶ୍ରୀଙ୍କ ଝିଅ ବିଜୟିନୀ ମିଶ୍ର ଏ ନେଇ ଟାଉନ ଥାନା ଦ୍ବାରସ୍ଥ ହେଉଥିଲେ ମଧ୍ୟ ତାଙ୍କୁ ‘ତୁମ ମା’ ଭିଣୋଇ ସହ ପଳାଇଛି’ ବୋଲି ତାତ୍ସଲ୍ୟ କରି ପୁଲିସ ଗାଳିଗୁଲଜ କରୁଥିଲା। ୮ ବର୍ଷ ଧରି ବିଜୟିନୀ ସମ୍ବଲପୁର ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଆଇଜି, ଡିଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ସେ ଏ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଆରଟିଆଇରେ ତଥ୍ୟ ମାଗିଥିଲେ। ଏହାପରେ ଏସ୍‌ଡିପିଓ ଭବାନୀ ଉଦଗାତା ମାମଲାର ତଦନ୍ତ ଭାର ଗ୍ରହଣ କରି ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇ ବସନ୍ତକୁ ଧରିଥିଲେ। ୪୦ ହଜାର ଟଙ୍କା ପାଇଁ ସମ୍ପର୍କୀୟ ଶାଳୀଙ୍କୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ସ୍ବୀକାର କରିଥିଲା।

ନିଖୋଜ ପରଠାରୁ ପରିବାରବର୍ଗ ଅପ୍ରୀତିକର ପରିସ୍ଥିତିର ଶିକାର ହେଉଥିଲେ। ‘ମା’ ତାଙ୍କ ଭିଣୋଇ ସହ ପଳାଇଯାଇଛି’ ବୋଲି ସମେସ୍ତ କହୁଥିଲେ। ପୁଲିସର ଅବହେଳା ଯୋଗୁଁ ପରିବାରବର୍ଗ ଏକପ୍ରକାର ସାମାଜିକ ବାସନ୍ଦ ହୋଇଯାଇଥିଲେ। ୨୦୧୧ ମସିହାରେ ଉପଯୁକ୍ତ ତଦନ୍ତ ହୋଇଥିଲେ ପରିବାରବର୍ଗକୁ ଏଭଳି ପରିସ୍ଥିତିର ଶିକାର ହେବାକୁ ପଡ଼ିନଥାନ୍ତା ବୋଲି ବିଜୟିନୀ କହିଛନ୍ତି।
ସେବେଠାରୁ ଅଭିଯୁକ୍ତ ବସନ୍ତ ଫେରାର୍‌ ଥିଲା। ୨୦୧୯ ମସିହାରେ ଅଭିଯୁକ୍ତ ବସନ୍ତ ଗାଁକୁ ଆସିଥିଲା। ଏସମ୍ପର୍କରେ ଉତ୍ତରାଞ୍ଚଳ ଡିଆଇଜି, ସମ୍ବଲପୁର ଡିଆଇଜିଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ଘଟଣାକୁ ଗୁରୁତ୍ବ ଦେଇନଥିଲେ। ଫଳରେ ଅଭିଯୁକ୍ତ ଅପରାଧ ଘଟାଇ ଅନାୟାସରେ ୮ବର୍ଷ ବୁଲିଥିଲା।

୮ ବର୍ଷ ପରେ ଗତ ୨୨ ତାରିଖରେ ଅଭିଯୁକ୍ତ ଗିରଫ ହେବା ପରେ ମାମଲା ଏବେ ଟାଉନ୍‌ ଥାନାରୁ ବୁର୍ଲା ଥାନାକୁ ଆସିଛି। ଉପଯୁକ୍ତ ପୁଲିସ ଅଧିକାରୀଙ୍କୁ ଏହି ମାମଲା ପରିଚାଳନା ଦାୟିତ୍ବ ଦେବା ପାଇଁ ଅତିରିକ୍ତ ଏସପିଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର