ଭାରତ ବନ୍ଦ ଯୋଗୁଁ ଜେଇଇ ମେନ୍‌ ପରୀକ୍ଷାର୍ଥୀ ହଟହଟା

ଭୁବନେଶ୍ବର : ଭାରତ ବନ୍ଦର ପ୍ରଭାବ ସିଧାସଳଖ ପ୍ରଭାବ ଜେଇଇ ମେନ୍‌-୧ ପରୀକ୍ଷା ଉପରେ ପଡ଼ିଛି। ଘାତ ପ୍ରତିଘାତ ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଦୁଇଟି ସିଟିଂରେ ପରୀକ୍ଷା ହେଉଥିବାରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ପ୍ରଥମ ସିଟିଂରେ ପରୀକ୍ଷା‌ ଦେଇଥିବା ପରୀକ୍ଷାର୍ଥୀ ଗତକାଲି ରାତିଠାରୁ ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ଡେରା ପକାଇଥିଲେ। ଅପରାହ୍‌ଣରେ ଦ୍ବିତୀୟ ସିଟିଂରେ ପରୀକ୍ଷା‌ ଦେବାକୁ ଥିବା କେତେଜଣ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରି ନଥିଲେ।

ଭୁବନେଶ୍ବରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଟିଂରେ ପ୍ରାୟ ୩୨୦୦ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିଲା। ହେଲେ ବିଭିନ୍ନ କାରଣ ପାଇଁ ୩୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବହୁ ଛାତ୍ରଛାତ୍ରୀ ସେମାନଙ୍କ ବାପା, ମା’ଙ୍କ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ପରୀକ୍ଷା ସରିବା ପର୍ଯ୍ୟନ୍ତ ସେମାନେ ପରୀକ୍ଷା କେନ୍ଦ୍ର ବାହାରେ ଅପେକ୍ଷା କରି ରହିଥିଲେ।

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାର କେତେକ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ଭୁବନେଶ୍ବରରେ ହୋଇଥିବାରୁ ସେମାନେ ଗତକାଲିଠାରୁ ଏଠାରେ ଆସି ପହଞ୍ଚିଥିଲେ। ଚନ୍ଦ୍ର‌ଶେଖରପୁରଠାରେ ହୋଇଥିବା ପରୀକ୍ଷା କେନ୍ଦ୍ର ନିକଟରେ ଥିବା ହୋଟେଲ, ଲଜ୍‌ରେ ନେଇ ସେମାନେ ରହିଥିଲେ। ଯେଉଁମାନେ ଦୂରରେ ରହିଥିଲେ, ସକାଳୁ ବାଇକ୍‌ ଯୋଗେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟ ୬ଟି ସହରରେ ହୋଇଥିବା‌ ପରୀକ୍ଷା କେନ୍ଦ୍ରରେ ବି ସମାନ ସମସ୍ୟା ଦେଖିବାକୁ ମିଳିଥିଲା। କେଉଁଠି ପରୀକ୍ଷାର୍ଥୀ ବିଳମ୍ବରେ ପହଞ୍ଚିଥିଲେ ତ ଆଉ କେଉଁଠି ପରୀକ୍ଷା ଦେବାକୁ ଆସି ନଥିଲେ। ଏପରିକି କିଛି ପରୀକ୍ଷାର୍ଥୀ ପରୀକ୍ଷା ହେବ କି ନାହିଁ ଜାଣିପାରି ନଥିଲେ।

ସମ୍ବନ୍ଧିତ ଖବର