ଯୋରନ୍ଦା ମହିମାଗାଦିରେ ଉଚ୍ଛେଦ ଘଟଣା: ଖୋଲା ଆକାଶ ତଳେ ସାଧୁସନ୍ନ୍ୟାସୀ

ଥଇଥାନ କରି ପଦକ୍ଷେପ ନିଆଯାଇ ପାରିଥାନ୍ତା: ଧର୍ମେନ୍ଦ୍ର

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦିରେ ମଙ୍ଗଳବାର ଉଚ୍ଛେଦ ପ୍ରକ୍ରିୟାରେ କୌପୀନଧାରୀ ମହିମା ସମାଜ ଦଖଲରେ ଥିବା ପ୍ରାୟ ଶହେ ବର୍ଷର ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ବତି ମନ୍ଦିର, ଧୁନି ମନ୍ଦିର,ଭେକ ମନ୍ଦିର ଭାଙ୍ଗି ମାଟିରେ ମିଶିଯିବା ପରେ କୌପୀନଧାରୀ ସାଧୁମାନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ନିଜ ଆଖି ଆଗରେ ଦୀର୍ଘ ଦଶନ୍ଧି ଧରି ତ୍ରିବେଳା ପୂଜା ନୀତି କରୁଥିବା ସାଧୁ ସନ୍ନ୍ୟାସୀମାନେ ଭୋ ଭୋ କାନ୍ଦୁଥିବାର ଦୃଶ୍ୟ ସମସ୍ତ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ଧୁନି ମନ୍ଦିର ଭାଙ୍ଗିଯିବା ପରେ ଗତକାଲିଠାରୁ ଅଖଣ୍ଡଜ୍ୟୋତି ମନ୍ଦିର ପରିସରରେ ଶୀତଦିନେ ଖୋଲା ଆକାଶ ତଳେ ଧୁନି ସ୍ଥାପନ କରି ଘୃତାହୁତି ପ୍ରଦାନ କରିଥିଲେ। କୌପୀନଧାରୀ ମହିମା ସମାଜ ଭକ୍ତଙ୍କ ଗ୍ରାମ ନାଠୁଆ ଗାଁରୁ ବହୁ ଶ୍ରଦ୍ଧାଳୁ ମହିଳା ଆସି କାନ୍ଦିକାନ୍ଦି ନିଜର ଦୁଃଖ ପ୍ରକାଶ କରିବା ସହିତ ଭଜନ କରିଥିଲେ। ଭଜନ ଘର ଭାଙ୍ଗି ଯାଇଥିବାରୁ, ମଠ ନୁହେଁ, ମନ୍ଦିର ପ୍ରାଙ୍ଗଣରେ ଭଜନ କୀର୍ତ୍ତନ କରିଥିଲେ କୌପୀନଧାରୀ ସାଧୁ। ମହିମାଗାଦିରେ ବୁଲଡୋଜର୍‌ ପଶିଲା ପରେ ଏବେ ଏମିତି କଟୁଛି କୌପୀନ ସାଧୁମାନଙ୍କ ସମୟ।

ଅନ୍ୟପକ୍ଷରେ, ଆଜି ଦ୍ୱିତୀୟ ଦିନରେ ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଆଜି ଗୋଟିଏ ଜେସିବି ଓ ୩ଟି ଟ୍ରାକ୍ଟରରେ ଭଗ୍ନାବଶେଷ ବୁହାହେଉଛି। ହେଲେ, କୌପୀନଧାରୀ ମହିମା ସମାଜର ସଭାପତି ରଘୁନାଥ ବାବାଙ୍କ ଜିନିଷପତ୍ର ସେହିପରି ଘଟଣାସ୍ଥଳରେ ପଡ଼ିରହିଛି। ସେ ଦୁଃଖରେ ମ୍ରିୟମାଣ ହୋଇ ଘଟଣାସ୍ଥଳକୁ ଆସିନାହାନ୍ତି। ଆଜି ବହୁସଂଖ୍ୟାରେ ଭକ୍ତ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଓ ସ୍ଥାନୀୟ ଅଞ୍ଚଳରୁ ଆସି ଉଚ୍ଛେଦ ସ୍ଥାନରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି। ଏବେ ବି ସେଠାରେ ଚାପା ଉତ୍ତେଜନା ଲାଗିରହିଥିବାରୁ ୧୪୪ ଧାରା ବଳବତ୍ତର ରହିଛି।

ଧୁନି ଜାଳିଲେ, ଭଜନ କଲେ

ଥଇଥାନ କରି ପଦକ୍ଷେପ ନିଆଯାଇ ପାରିଥାନ୍ତା: ଧର୍ମେନ୍ଦ୍ର

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ପୁରାତନ ମନ୍ଦିର ଭଙ୍ଗାଯିବା ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯୋରନ୍ଦା ମହିମା ଗାଦିରେ ଥିବା ପ୍ରାୟ ୯୫ ବର୍ଷର ପୁରାତନ ମନ୍ଦିରଗୁଡ଼ିକୁ ଭଙ୍ଗାଯିବାର ଦୃଶ୍ୟ ଦେଖି ମନ କଷ୍ଟ ହେଲା। ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ପ୍ରଥମେ ସାଧୁ ସନ୍ଥଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପରେ ପଦକ୍ଷେପ ନେଇଥିଲେ ଉଚିତ୍ ହୋଇଥାନ୍ତା। ଏହି ଘଟଣା ଦେଶର ମହିମା ଧର୍ମାବଲମ୍ୱୀଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁତ ଆଘାତ ଦେଇଛି।

ସମ୍ବନ୍ଧିତ ଖବର