୪୦ ଦିନ ପରେ ବନ୍ଦ କୋଠରିରୁ ମା’ଝିଅ ଉଦ୍ଧାର : ସାମ୍ବାଦିକଙ୍କୁ ବାନ୍ଧିଲା ପୁଲିସ, ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ

ରାଉରକେଲା : ବାସନ୍ତୀ କଲୋନିସ୍ଥିତ ଏକ ବନ୍ଦ କୋଠରିରେ ୪୦ ଦିନ ଅଟକ ଥିବା ଜଣେ ମହିଳା ଓ ତାଙ୍କ ବିବାହିତା ଝିଅକୁ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସାମ୍ବାଦିକ ଜଣଙ୍କ ଉଭୟଙ୍କୁ ଅଟକ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି କୁହାଯାଉଛି। ଅବୈଧ ପ୍ରେମ ସମ୍ପର୍କ କାରଣରୁ ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଥିଲେ ମଧ୍ୟ ପୁଲିସରେ ଏ ସମ୍ପର୍କିତ ଏତଲା ହୋଇନାହିଁ। ଏହି ଘଟଣା ଆଜି ଇସ୍ପାତ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସାରନଗରୀ ଅଞ୍ଚଳର ଜଣେ ଔଷଧ ଦୋକନୀଙ୍କ ପତ୍ନୀଙ୍କ ସହିତ ରାଉରକେଲାର ଜଣେ ସାମ୍ବାଦିକ ଅଶୋକ ମହାନ୍ତିଙ୍କର ପରିଚୟ ଥିଲା। ଏହି ମହିଳାଙ୍କର ଭୁବନେଶ୍ବରରେ ରହୁଥିବା ମା’ ଓ ବାପାଙ୍କ ମଧ୍ୟରେ ଝଗଡ଼ା ହେବାରୁ ତାଙ୍କ ମା’ ଘର ଛାଡ଼ି ରାଉରକେଲା ପଳାଇ ଆସିଥିଲେ। ଏ ସମ୍ପର୍କରେ ଖବର ପାଇ ଅଶୋକ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି ତାଙ୍କୁ ବାସନ୍ତୀ କଲୋନିସ୍ଥିତ ନିଜ ଘରକୁ ନେଇ ଆସିଥିଲେ। ଏହାପରେ ତାଙ୍କୁ ନିଜ ଘରେ ଅଟକ ରଖି ମା’କୁ ନେବା ପାଇଁ ସେ ଔଷଧ ଦୋକାନୀଙ୍କ ପତ୍ନୀକୁ ଡାକିଥିଲେ। ମାତ୍ର ମହିଳା ଜଣକ ଏଥିରେ ଅରାଜି ହେବାରୁ ଅଶୋକ ମହିଳାଙ୍କୁ ଧମକ ଚମକ ଦେଇଥିଲେ। ମା’, ସ୍ବାମୀ ଓ ଦିଅରଙ୍କୁ ମାରିଦେବାକୁ ଧମକ ଦେବାରୁ ମହିଳା ଜଣକ ଅଶୋକଙ୍କ ଘରେ ପହଞ୍ଚିଥିଲେ। ଏହା ପରଠାରୁ ଉଭୟ ମା’ଝିଅଙ୍କୁ ଅନ୍ଧାର ଘରେ ୪୦ ଦିନ କାଳ ଅଟକ ରଖି ସେ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଘରକୁ ନ ଆସିବାରୁ ତାଙ୍କ ସ୍ବାମୀ ଟାଙ୍ଗରପାଲି ଥାନାରେ ତାଙ୍କ ପତ୍ନୀ ନିଖୋଜ ହୋଇଥିବା ନେଇ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଦିନେ ଅଶୋକ ଘରେ ନଥିବା ସୁଯୋଗ ନେଇ ମହିଳା ଜଣକ ମୋବାଇଲ୍‌ରେ କଲ୍‌ କରି ରାଉରକେଲାରେ ରହୁଥିବା ତାଙ୍କ ଭଉଣୀଙ୍କୁ ସବୁ କଥା କହିଥିଲେ। ସାନ ଭଉଣୀ ତଙ୍କ ସମସ୍ତ କଥାକୁ ରେକର୍ଡିଂ କରି ଘଟଣା ସମ୍ପର୍କରେ ଏସ୍‌ପି କେ. ଶିବା ସୁବ୍ରମଣିଙ୍କୁ ଜଣାଇଥିଲେ। ମୋବାଇଲରେ ରେକର୍ଡିଂ ହୋଇଥିବା ନିର୍ଯାତନାର କିଛି ଭିଡିଓ ଓ ଅଡିଓ ସେ ଏସ୍‌ପିଙ୍କୁ ଦେଇଥିଲେ। ଏସ୍‌ପି ଏହାର ଉଦିତନଗର ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ମଙ୍ଗଳବାର ସକାଳେ ଉଦିତନଗର ପୁଲିସ ବାସନ୍ତୀ କଲୋନିସ୍ଥିତ ଅଶୋକଙ୍କ ଘରୁ ମା’ ଓ ଝିଅଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ଅଶୋକଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ଅଶୋକ ବିବାହିତ ଥିଲେ ବି ତାଙ୍କ ପତ୍ନୀ ଘରେ ରହୁ ନଥିଲେ। ଏ ସମ୍ପର୍କରେ ଭୁବନେଶ୍ବରରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ଛି।

ସମ୍ବନ୍ଧିତ ଖବର