ଭାଷାର ପ୍ରତିଟି ଉପାଦାନକୁ ଗ୍ରହଣ କରିବାକୁ ହେବ: ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ମା’, ମାଟି, ମାତୃଭାଷା ବିନା ସାଂସ୍କୃତିକ ଆନ୍ଦୋଳନ ଅସମ୍ଭବ: ସୌମ୍ୟରଂଜନ

ସମ୍ବଲପୁର: ମା’, ମାଟି ଓ ମାତୃଭାଷା ହିଁ ମଣିଷର ପରିଚୟ। ଏହାର ସଂରକ୍ଷଣ ଓ ସମୃଦ୍ଧି ସମସ୍ତଙ୍କର ଦାୟିତ୍ବ। ପରବର୍ତ୍ତୀ ପିଢ଼ିକୁ ଭାଷା ଓ ସଂସ୍କୃତିର ସଂପ୍ରସାରଣ ଦିଗରେ ଠୋସ୍ ପ୍ରୟାସ ଏବଂ ପ୍ରକ୍ରିୟା ଜରୁରୀ। କାରରଣ ସୁସମାଜ ଗଠନ ଏବଂ ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ଏହା ଜରୁରୀ। ସୁଦୃଢ଼ ଗଣତନ୍ତ୍ର ଭାଷା ଓ ସଂସ୍କୃତି ସହ ଗଣମାଧ୍ୟମ ଉପରେ ବି ନିର୍ଭରଶୀଳ। ତେଣୁ ଏହି ସବୁ ଉପାଦାନକୁ ଯୋଡ଼ିଲେ ସଭ୍ୟତା ଏବଂ ସଂସ୍କୃତି ସଂପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ସମ୍ଭବ ବୋଲି ‘ଜୁଗାର୍’ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସମାରୋହରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବଲପୁର କମିସନର୍ସ କଲୋନି ଗାନ୍ଧୀ ପାର୍କରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟବକ୍ତାଭାବେ ଯୋଗ ଦେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ’ରୋଗ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭାଷାର ବିବିଧତା ଏବଂ ଏହି ବିବିଧତା ଭିତରେ ଥିବା ଉପାଦାନକୁ ଆହରଣ କରିବାକୁ ମତବ୍ୟକ୍ତ କରିଥିଲେ। ଡା. ମହାପାତ୍ର କହିଲେ, ଗୋଟିଏ ଭାଷାକୁ କୌଣସି ବ୍ୟକ୍ତି ଉପରେ ଥୋପି ଦିଆ ନଯାଉ। କୌଣସି ଭାଷା ସହିତ ସଂଘର୍ଷ କରିବା ଉଚିତ ନୁହେଁ। ବରଂ ଭାଷା ଓ ସଂସ୍କୃତିର ଅନନ୍ୟତା ଅନ୍ବେଷଣ କରି ସଂସ୍କୃତି ସଂପନ୍ନ ସମାଜ ଗଠନ କରିବା ମୂଳ ଲକ୍ଷ୍ୟ ହେଉ ବୋଲି ସେ ଆହ୍ବାନ କରିଥିଲେ। ଅବସରପ୍ରାପ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ସଂଜୀବ ହୋତା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସାହିତ୍ୟର ସାହିତ୍ୟିକତା ଜୀବନ୍ତ ରଖିବାକୁ ଆହ୍ବାନ କରିଥିଲେ। ଏଥି ପାଇଁ ଭାଷାର ପ୍ରତିଟି ଉପାଦାନ ଏବଂ ଶବ୍ଦକୁ ସଂରକ୍ଷିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଭାଷା ଓ ସଂସ୍କୃତିର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ସେ ମତ ରଖିଥିଲେ। ଏହାବାଦ୍ ବୀର ସୁରେନ୍ଦ୍ର ସାଏ, କିଶନ ପଟ୍ଟନାୟକଙ୍କ ସମେତ ସବୁ ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିଙ୍କ ମହତ୍ କାର୍ଯ୍ୟ ଓ ବକ୍ତବ୍ୟରୁ ଶିକ୍ଷାଲାଭ କରିବାକୁ ଶ୍ରୀ ହୋତା ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜୀ ନିଜ ବକ୍ତବ୍ୟରେ ବିଜ୍ଞାନ ଓ ବୈଜ୍ଞାନିକ ସିଦ୍ଧାନ୍ତକୁ ଆଦରି ନେଇ ସମାଜକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ସେ କହିଲେ, ବିକଶିତ ରାଷ୍ଟ୍ର କିମ୍ବା ସମାଜ ଗଠନ ପାଇଁ ଶିକ୍ଷା ସହ ବୈଜ୍ଞାନିକ ମାନସିକତା ରହିବା ଜରୁରୀ। ପଶ୍ଚିମ ଓଡ଼ିଶାରେ ଶିକ୍ଷାର ଭିତ୍ତିଭୂମି ଅଭାବ ନେଇ ସେ ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ଅବନତିର କାରଣ ବୋଲି ଦର୍ଶାଇଥିଲେ। ଏହାବାଦ୍ ଶ୍ରୀ ଚାଟାର୍ଜୀ ସୁସ୍ଥ ଗଣମାଧ୍ୟମ ଓ ଏହାର ସ୍ବାଧୀନତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଲେ, ଗଣତନ୍ତ୍ର ସହଜରେ ତିଆରି ହୋଇ ନଥାଏ। ରୁଲ୍ସ୍ ଅଫ୍ ଲ’ ଓ ପ୍ରତିବଦ୍ଧତା ଦ୍ବାରା ଗଣତନ୍ତ୍ରକୁ ସୁଦୃଢ଼ ଏବଂ ସମୃଦ୍ଧ କରିହୁଏ। କିନ୍ତୁ ଗଣମାଧ୍ୟମର କଣ୍ଠରୋଧ କରାଯିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସ୍ବାଧୀନତା ପରବର୍ତ୍ତୀ ଭାରତରେ ଗଣତନ୍ତ୍ର ବେଶ ସୁଦୃଢ଼ ଥିଲା। କିନ୍ତୁ ଏବେ ଏହା ଏକ ନିର୍ବାଚିତ ଏକତନ୍ତ୍ରର କବ୍ଜାକୁ ଚାଲି ଯାଇଛି। ଦେଶକୁ ଏଭଳି ସ୍ଥିତିରୁ ଉଦ୍ଧାର କରିବା ଜରୁରୀ ବୋଲି ଚେତାଇ ଦେବା ସହ ଶ୍ରୀ ଚାଟାର୍ଜୀ ଢାମଞ୍ଚାଗତ ଗଣତନ୍ତ୍ର ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ କରିବାକୁ ଆହ୍ବାନ କରିଥିଲେ।

ସମାରୋହରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମା’, ମାଟି ଓ ମାତୃଭାଷା ବିନା ସାଂସ୍କୃତିକ ଆନ୍ଦୋଳନ ସମ୍ଭବ ନୁହେଁ ବୋଲି କହିଥିଲେ। ମାଁକୁ ସମ୍ମାନ, ମାଟି ପ୍ରତି ଆବେଗ ଏବଂ ମାତୃଭାଷା ପ୍ରତି ଉଦାରତା ହିଁ ସମାଜକୁ ସଠିକ୍ ଦିଗଦର୍ଶନ ଦେଇଥାଏ। କାରଣ ସଫଳତାର ଶୀର୍ଷକୁ ଯିବାକୁ ହେଲେ ମାତୃଭାଷାକୁ ହିଁ ପାଥେୟ କରିବାକୁ ହେବ। ମାତୃଭାଷାର ସମୃଦ୍ଧି ଏବଂ ଶିକ୍ଷାଦାନ ବିନା ପରବର୍ତୀ ପିଢ଼ିର ବିକାଶ ମନ୍ଥର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ ଆହୁରି କହିଲେ, ଭାଷାକୁ ସଂରକ୍ଷିତ ରଖିବାକୁ ହେଲେ ଲିଖିତ ଓ ମୁଦ୍ରିତ ରୂପକୁ ଧ୍ୟାନ ଦେବାକୁ ହେବ। କିନ୍ତୁ ଏବେ ମୁଦ୍ରଣ ପ୍ରକ୍ରିୟା ବିପଦରେ। ମୁଦ୍ରିତ ସାହିତ୍ୟକୁ ବ୍ୟବସ୍ଥିତ ଓ ସଂପ୍ରସାରିତ କରିବା ପାଇଁ ପ୍ରତି ପାଠକଙ୍କୁ ବି ଜଣେ ଜଣେ ସଂଗ୍ରାମୀ ହେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ପଦ୍ମଶ୍ରୀ ଦିଲିପ ତିର୍କୀ ଅଭାସୀ ମାଧ୍ୟମରେ ଯୋଡ଼ି ହୋଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ‘ଜୁଗାର୍’ର ସଫଳ ଆୟୋଜନ ପାଇଁ ଶୁଭକାମନା ଜଣାଇଥିଲେ। ଭାଷା ଆନ୍ଦୋଳନ କ୍ଷେତ୍ରରେ ‘ସମ୍ବାଦ’ ଏକ ଯୋଦ୍ଧାର କାମ କରୁ ବୋଲି ଶ୍ରୀ ତିର୍କୀ ପ୍ରକାଶ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ବାରା ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ତରଫରୁ ପ୍ରକାଶିତ ସମ୍ବଲପୁରୀ/କୋଶଲି ପତ୍ରିକା ଜୁଗାରର ନବମ ବାର୍ଷିକ ସଂଖ୍ୟାକୁ ଅତିଥିମାନେ ଅନାବରଣ କରିଥିଲେ।

ସମାରୋହର ଆବାହକ ‘ସମ୍ବାଦ’ ଗ୍ରୁପ୍‌ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ପରମ୍ପରା ଅନନ୍ୟ ବୋଲି ବିବେଚନା କରିଥିଲେ। ପଶ୍ଚିମ ଓଡ଼ିଶାର କଥା ବିନା ଓଡ଼ିଶାର କଥା ଅସଂପୂର୍ଣ୍ଣ। ଏହି ମାଟିର ମଣିଷମାନେ ସମୃଦ୍ଧ ସମାଜର ପ୍ରତୀକ ପାଲଟିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଶ୍ରୀକାନ୍ତ ଚାଟାର୍ଜୀଙ୍କ ସମେତ ଅଭିନେତା ମନୋଜ ମିଶ୍ର, କଣ୍ଠଶିଳ୍ପୀ ରୁକୁ ସୁନା ଏବଂ ମହିଳା କ୍ରିକେଟର୍ ସରିତା ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଏମ୍ସ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍‌ର ସହପ୍ରତିଷ୍ଠାତା ଶ୍ରୀମନ୍ତ ପାତ୍ର ଏବଂ ଅରୁନ୍ଧତୀ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କୁ ସମ୍ମାନିତ କରାଯାଇଥିଲା।

ପୂର୍ବରୁ ‘ସମ୍ବାଦ’ ବାର୍ତା ସଂପାଦକ ଅରବିନ୍ଦ ଦାସ ‘ଜୁଗାର୍’ର ଉତ୍ପତ୍ତି ଓ ଇତିହାସ ଉପରେ ସଂକ୍ଷେପ ସୂଚନା ଦେଇଥିଲେ। ‘ଜୁଗାର୍’ ଆମ ଭାଷା, ସଂସ୍କୃତି, ପରମ୍ପରା ଓ ଅସ୍ମିତାର ବାହକ ବୋଲି ସେ କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତା) ସୁବ୍ରତ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା ମଞ୍ଚ ଆବାହନ କରିଥିଲେ। ଶେଷରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଅତିରିକ୍ତ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରୁକୁ ସୁନା, ବିଭୂତି ପଟ୍ଟନାୟକ, ଚେତନାମୟୀ ବେହେରା, ଦିଲୀପ ବାଗ, ରାଜକୁମାର ଜାଲ, ପ୍ରୀତିନନ୍ଦା ମିଶ୍ର, ପଦ୍ମଶ୍ରୀ ଖଟେଇ, ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅଭିନେତା ମନୋଜ ମିଶ୍ର ସିନେମାର ସଂଳାପ କହି ଦର୍ଶକଙ୍କ ମନ ମୋହିଥିଲେ। ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଂଗାର କଳାକାରମାନେ ବଜାଶାଲ ନାଚ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାମାଶିଷ ତ୍ରିପାଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିରରେ ବିଶାଳ ‘ଜୁଗାର’ର ପୂଜାର୍ଚ୍ଚନା କରାଯାଇ ସଭାସ୍ଥଳକୁ ଅଣା ଯାଇଥିଲା। ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର