ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ, ଓଡ଼ିଶା ହାଇକୋର୍ଟର ଚତୁର୍ଥ ମହିଳା ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥଗ୍ରହଣ କରିଛନ୍ତି ଜଷ୍ଟିସ୍ ସାବିତ୍ରୀ ରଥ। ହାଇକୋର୍ଟ ନିୟୁ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିବା ପରେ ଜଷ୍ଟିସ ରଥ ଶପଥ ନେଇଥିଲେ। ଜଷ୍ଟିସ ରଥଙ୍କ ଦାୟିତ୍ବ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଜଷ୍ଟିସ ରଥଙ୍କୁ ମିଶାଇ ବର୍ତ୍ତମାନ ୨ ଜଣ ମହିଳା ବିଚାରପତି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଡକ୍ଟର ରଥ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ୪ର୍ଥ ମହିଳା ବିଚାରପତି। ବର୍ତ୍ତମାନ ଡକ୍ଟର ରଥଙ୍କ ବ୍ୟତୀତ ଜଷ୍ଟିସ ସଂଜୁ ପଣ୍ଡା ବିଚାରପତି ଭାବେ ୨୦୦୭, ମାର୍ଚ୍ଚ ୧ରୁ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଜଷ୍ଟିସ ଅମୀୟା କୁମାରୀ ପାଢୀ ୧୯୮୮, ଏପ୍ରିଲ ୧୮ରେ ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ ଜଷ୍ଟିସ ଅରୁଣା ସୁରେଶ ୨୦୧୦, ଅକ୍ଟୋବର ୨୮ରୁ ୨୦୧୨ ପର୍ଯ୍ୟନ୍ତ ହାଇ କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ଆଜିର ଶପଥଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ଅଖିଳେଶ୍ବର ସିଂ, ହାଇକୋର୍ଟ ରେଜିଷ୍ଟ୍ରିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜାରି କରାଯାଇଥିବା ନିୟମାବଳୀକୁ ଦୃଷ୍ଟିରେ ରଖି ତଥା ସାମାଜିକ ଦୂରତ୍ବ ବଜାୟ ରଖି ନିରାଡମ୍ବର ଭାବେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ଜଷ୍ଟିସ ରଥ ଶପଥ ଗ୍ରହଣ କରିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କ ସହ ଡିଭିଜନ୍ ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ରହିଥିବାବେଳେ ଏବେ ବି ଆହୁରି ୧୧ଟି ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର