କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା : ସ୍ବାଧୀନତା ଓ ସାମ୍ୟବାଦ ତାଙ୍କ ଆଦର୍ଶର ଅଳଙ୍କାର: ମନୋଜ ଦାସ

କଟକ : ସଚ୍ଚି ରାଉତରାୟ ଥିଲେ ଜଣେ ଆଦର୍ଶବାଦୀ କବି। ଓଡ଼ିଆ ସାହିତ୍ୟରେ ସେ ଏକ ନୂତନ ଅଧ୍ୟାୟ ସୃ‌ଷ୍ଟି କରିଛନ୍ତି। ସ୍ବାଧୀନତା ଓ ସାମ୍ୟବାଦ ତାଙ୍କ ଆଦର୍ଶର ଦୁଇଟି ଅଳଙ୍କାର ବୋଲି ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ କହିଛନ୍ତି।

ଆଜି ଓଡ଼ିଶା ସାହିତ୍ୟ ଏକାଡେମି ଓ ସାରଳା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ସାରଳା ଭବନରେ ଆୟୋଜିତ ‘ସାହିତ୍ୟରେ ଆଦର୍ଶର ଭୂମିକା: ଗତକାଲି ଓ ଆଜି’ ଶୀର୍ଷକ କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ପ୍ରଫେସର ଦାସ। ସେ କହିଥିଲେ ଯେ ଭାରତୀୟ ସାହିତ୍ୟରେ ଆଦର୍ଶବାଦ ସୁନ୍ଦର ଭା‌ବେ ବର୍ଣ୍ଣିତ ହୋଇଛି। ପ୍ରତ୍ୟେକ ମଣିଷର ଅବଚେତନରେ ଏକ ଆଦର୍ଶ ରହିଥାଏ। ସୂକ୍ଷ୍ମ ହେଉ କି ସ୍ଥୂଳ, ଆଦର୍ଶ ଆମର ପ୍ରକୃତିଗତ। କିନ୍ତୁ ସାହିତ୍ୟିକଙ୍କ ଆଦର୍ଶ ସହିତ ଅହଂର ମିଶ୍ରଣ ଫଳରେ ତାହା ହିତ ଅପେକ୍ଷା ଅହିତ କରୁଛି। ସାହିତ୍ୟିକମାନେ ଅହଂ ପରିତ୍ୟାଗ କରି ସାରସ୍ବତ ସାଧନା କଲେ ସମାଜରେ ସଂହତି ପ୍ରତିଷ୍ଠା ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ସଚ୍ଚି ରାଉତରାୟଙ୍କୁ ମାର୍କସବାଦ୍‌ର ଶ୍ରେଷ୍ଠ ପ୍ରବକ୍ତା ଭାବେ ବର୍ଣ୍ଣନା କରିଥିଲେ। ତାଙ୍କ ସୃ‌ଷ୍ଟି ‘ବାଜି ରାଉତ’ ଭାରତୀୟ ସାହିତ୍ୟର ଅନନ୍ୟ କୃତି ଓ ‘ଛୋଟ ମୋର ଗାଁ’ଟି କବିତା କାଳଜୟୀ ସୃ‌ଷ୍ଟି ବୋଲି ଶ୍ରୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ସଚ୍ଚି ରାଉତରାୟ କବିତା କ୍ଷେତ୍ରରେ ଯେଉଁ ସବୁ ପରୀକ୍ଷାନିରୀକ୍ଷା କରିଥ‌ିଲେ, ତାହା ଆଗାମୀ ପିଢ଼ିର ସାହିତ୍ୟିକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ସମ୍ମାନିତ ଅତିଥି ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ବାଇଁ ସଚ୍ଚି ରାରତରାୟଙ୍କୁ ଜଣେ କ୍ରାନ୍ତିକାରୀ ସ୍ରଷ୍ଟା ଭାବେ ବର୍ଣ୍ଣନା କରିଥିଲେ ଏବଂ ଗଳ୍ପ କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ସେ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡକ୍ଟର ହରିହର ମିଶ୍ର ସଚ୍ଚି ରାଉତରାୟଙ୍କ ବାଜି ରାଉତ କବିତା ଓଡ଼ିଆ କବିତା କ୍ଷେତ୍ରରେ ଏକ ସଫଳ ସୃଷ୍ଟି ବୋଲି କହିଥିଲେ। ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବାସନ୍ତୀ ମହାନ୍ତିଙ୍କ ଅନୁଦିତ ‘ନିଃସଙ୍ଗ ଯୋଦ୍ଧା’ ଓ ନଗେନ ଦାସଙ୍କ ସଂପାଦିତ ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଓ ଦଳିତ ଚିନ୍ତନ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାରଳା ସାହିତ୍ୟ ସଂସଦର ସଂପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର