୪୮ ଘଣ୍ଟା ଯାଏ କାଳବୈଶାଖୀ ବର୍ଷା : ଉତ୍ତରରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର : ଆହୁରି ୪୮ ଘଣ୍ଟା ଲାଗି ରହିବ କାଳବୈଶାଖୀ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି। ୧୨ଘଣ୍ଟା ପର୍ଯ୍ୟନ୍ତ ୧୯ ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ପାଣିପାଗ ବିଭାଗର ଆକଳନ ହେଉଛି ଯେ ମଙ୍ଗଳବାର ତଥା ୨୬ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଉତ୍ତର ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ଏଥିସହ ଖୋର୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ପବନ ଓ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଅପରାହ୍‌ଣ ପରେ ପାଗରେ କିଛିଟା ସୁଧାର ହେବ।

ତଥାପି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ ୨୭ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ କାଳବୈଶଖୀ ବର୍ଷା ସହ ପବନ ଓ ବଜ୍ରପାତର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୨୮ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ସୋନପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ୨୮ତାରିଖ ସକାଳୁ ଉପକୂଳ ଓଡ଼ିଶାରେ ପାଗ ଫିଟିଯିବ। ଆଉ ବର୍ଷା କି ପବନର ଆଶଙ୍କା ନାହିଁ। ମାର୍ଚ୍ଚ ୩ ଯାଏ କୋହଲା ପାଗ ରହିବ। ଏହାପରେ ପୁଣିଥରେ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ହେଲା ସାରା ଓଡ଼ିଶାରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୨୭ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୨୨.୯, ହୀରାକୁଦରେ ୨୦.୧, ଫୁଲବାଣୀରେ ୧୫, ଝାରସୁଗୁଡ଼ାରେ ୧୩.୮, ସୁନ୍ଦରଗଡ଼ରେ ୧୦ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ବା‌ଲେଶ୍ବର, କଟକ, ଭୁବନେଶ୍ବର, ପୁରୀ, ଅନୁଗୁଳ, ଟିଟିଲାଗଡ଼ରେ ହାଲକା ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୫ରୁ ୩୦ କିମି ରହିଥିଲା। ଆଜି ଦିନର ତାପମାତ୍ରା ସବୁ ସ୍ଥାନରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଛି।

ସମ୍ବନ୍ଧିତ ଖବର