‘କାଳିଆ’ ତାଲିକାରୁ ଅଯୋଗ୍ୟ ବାଦ୍ ପଡ଼ିବେ, ସଂଶୋଧନ ପ୍ରକ୍ରିୟା ଆରମ୍ଭ

ତ୍ରୁଟି ହେଲେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ

ଭୁବନେଶ୍ବର: କାଳିଆ ଯୋଜନାରେ ସାମିଲ ହୋଇଥିଲେ ବି ନାମ କଟିପାରେ। ଯଦି ହିତାଧିକାରୀ ଯୋଗ୍ୟ ବିବେଚିତ ହେଉ ନ ଥିବେ, ତେବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ। ଅଗଷ୍ଟ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ। କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ଏହ‌ି ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ କୃଷି ଭବନରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ‘କାଳିଆ’ ଯୋଜନା ନେଇ ଏକ କର୍ମଶାଳା‌ ଆୟୋଜନ କରାଯାଇଥିଲା। ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ସେଥି ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ। ଶ୍ରୀ ସାହୁ କହିଥିଲେ, ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ସିଧାସଳଖ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାଳିଆ ଯୋଜନା ପରି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ସହିତ କିଛି ଗ୍ରାମପଞ୍ଚାୟତ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର ବହୁ କମ୍ ସଂଖ୍ୟାରେ ଦରଖାସ୍ତ କରିଥିବାରୁ ଏ ଦିଗରେ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୃଷି, ରାଜସ୍ବ, ସମବାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସମେତ ଅନ୍ୟ ସହଯୋଗୀ ବିଭାଗ ମଧ୍ୟରେ ସମନ୍ବୟ ରଖି ପ୍ରକୃତ ହିତାଧିକାରୀ ଚିହ୍ନଟ ଓ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ସହ କାଳିଆ ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ସେ ଦିଗରେ କ୍ଷେତ୍ର ଅଧିକାରୀମାନେ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କାଳିଆ ଯୋଜନାର ଆଗାମୀ ଦିନରେ ସୁଦୂର ପ୍ରଭାବ ପଡ଼ିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଷଲ। ମତ୍ସ୍ୟ ନିର୍ଦ୍ଦେଶକ ରତ୍ନାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର