ପୁଣି କାଳିଆର ଗୁରୁତ୍ବ ବୁଝାଇଲେ: କାଳିଆ ସହାୟତାରୁ ଚାଷୀ ବଞ୍ଚିତ ହେଲେ ଦାୟୀ ରହିବେ ଅଧିକାରୀ

୩ ଲକ୍ଷ ୫୫ ହଜାର ଚାଷୀଙ୍କ ଆବେଦନପତ୍ର ଅସମ୍ପୂର୍ଣ୍ଣ

ଭୁବନେଶ୍ବର: ଆସିଲା ପଞ୍ଚାୟତ ନିର୍ବାଚନ, ପୁଣି କାଳିଆର ଗୁରୁତ୍ବକୁ ମନେ ପକାଇଲେ ସରକାର। କାଳିଆ ସହାୟତାରୁ କୌଣସି ଚାଷୀ ବଞ୍ଚିତ ହେଲେ ଦାୟୀ ରହିବେ ଅଧିକାରୀ। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ମର୍ମରେ ନିର୍ଦେଶ ଜାରି କରିଛନ୍ତି ଯୁଗ୍ମ କୃଷି ନିର୍ଦେଶକ। ଏଥିପାଇଁ ପଞ୍ଚାୟତ ସ୍ତରରୁ ତଥ୍ୟ ସଂଗ୍ରହ କରି କାଳିଆ ହିତାଧିକାରୀ ଚାଷୀଙ୍କ ଅସମ୍ପୂର୍ଣ୍ଣ ତଥ୍ୟ ଜାନୁଆରି ୨୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ହୋଇଛି। କୃଷି ଯୁଗ୍ମ ନିର୍ଦେଶକଙ୍କ ଏହି ପତ୍ରରେ କୁହାଯାଇଛି, ଆବେଦନପତ୍ର ଜନିତ କିମ୍ବା ଆକାଉଣ୍ଟ ଜନିତ ତ୍ରୁଟି ଯୋଗୁଁ ଅନେକ ଚାଷୀ କାଳିଆ ସହାୟତାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ସମୁଦାୟ ୩ ଲକ୍ଷ ୫୫ ହଜାର ୧୦୭ କାଳିଆ ହିତାଧିକାରୀଙ୍କ ଚାଷୀଙ୍କ ଆବେଦନପତ୍ର ଅସମ୍ପୂର୍ଣ୍ଣ ହୋଇ ରହିଛି।

ସେମାନଙ୍କୁ କିଛି ପରିମାଣରେ କାଳିଆ ସହାୟତା ମିଳିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ଆବେଦନପତ୍ର ଜନୀତ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି। ଡିସେମ୍ବର ୧୮ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚାଷୀଙ୍କ ଆକାଉଣ୍ଟର ଅସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ୫୩ ଲକ୍ଷ ଚାଷୀ କାଳିଆ ଯୋଜନାର ଲାଭ ଉଠାଇଥାଆନ୍ତି। ନିର୍ଧାରିତ ସମୟରେ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ସରକାରଙ୍କ ନିର୍ଧାରିତ ୫ ହଜାର ଟଙ୍କା ଦିଆଯାଏ। ମାତ୍ର ଅନେକ ଚାଷୀ ଆବେଦନପତ୍ର ଭରିବା ବେଳକୁ ତ୍ରୁଟିପୂର୍ଣ୍ଣ ଆକାଉଣ୍ଟ ନମ୍ବର ଦେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଚାଷୀ ଉପଯୁକ୍ତ ଟଙ୍କା ପାଇବାରୁ ବଞ୍ଚିତ ହୁଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ସମସ୍ୟା ଲାଗି ରହୁଛି। ପ୍ରତି ନିର୍ବାଚନ ବେଳକୁ କାଳିଆ ଯୋଜନାର ଗୁରୁତ୍ବ ବଢିଯାଏ। ଗତ ନିର୍ବାଚନମାନଙ୍କରେ ଅନେକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଟଙ୍କା ଦିଆଯାଇ ଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ଟଙ୍କା ଫେରାଇ ଅଣାଯାଇ ଥିଲା।

ସମ୍ବନ୍ଧିତ ଖବର