ସହିଦ ଚନ୍ଦ୍ରକାନ୍ତଙ୍କ ପାଇଁ କନ୍ଧମାଳ ମାଟି ଗର୍ବିତ, ବିଅରପାଙ୍ଗାରେ ଶୋକର ଛାୟା

ଫୁଲବାଣୀ/ରାଇକିଆ: ଓଡ଼ିଆ ପୁଅ ସହିଦ ଚନ୍ଦ୍ରକାନ୍ତ ପ୍ରଧାନ (୨୮)ଙ୍କ ପାଇଁ କନ୍ଧମାଳ ମାଟି ଆଜି ଗର୍ବ କରୁଛି। ପୂର୍ବ ଲଦାଖ ଗଲୱାନ୍‌ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ହୋଇଥିବା ଲଢ଼େଇରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ କନ୍ଧମାଳ ଜିଲ୍ଲାର ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ। ସହିଦ ହେବା ଖବର ଜଣାପଡ଼ିବା ପରେ ଚନ୍ଦ୍ରକାନ୍ତଙ୍କ ଜନ୍ମମାଟି ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରୁ ୭୫ କିଲୋମିଟର ଦୂର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମ ଓ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଆସନ୍ତାକାଲି ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି କନ୍ଧମାଳ ଏସ୍‌.ପି.ପ୍ରତୀକ ଗୀତା ସିଂ ସୂଚନା ଦେଇଛନ୍ତି। ବିଅରପାଙ୍ଗା ଗ୍ରାମର କରୁଣାକର ପ୍ରଧାନ ଓ ବିଳାସିନୀ ପ୍ରଧାନଙ୍କ ୩ ପୁଅ ଓ ଜଣେ ଝିଅ। ଚନ୍ଦ୍ରକାନ୍ତ ବଡ଼ପୁଅ ଥିଲେ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ କୋକଳବା ଜ୍ଞାନ ପଟ୍ଟନାୟକ ହାଇସ୍କୁଲ୍‌ରେ ମାଟ୍ରିକ୍‌ ପାସ୍‌ ପରେ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିଥିଲେ। ସେ ୨୦୧୪ରେ ଚାକିରି ପାଇ ଭାରତୀୟ ସେନାବାହିନୀ ୧୬-ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ। ଗରିବ ଚାଷୀ ପରିବାରରୁ ଯାଇଥିବା ଚନ୍ଦ୍ରକାନ୍ତ ସେନାରେ ଚାକିରି କରିବା ପରେ ଘରେ ସୁଖର ଦିନ ଆସିଥିଲା। ପରିବାରରେ ଆର୍ଥିକ ସ୍ଥିତି ସୁଧୁରିଥିଲା।

ପରିବାରର ଏକ ମାତ୍ର ରୋଜଗାରିଆ ଭାବେ ଦୁଇ ଭାଇ ଓ ଗୋଟିଏ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ କରିବାକୁ ଚନ୍ଦ୍ରକାନ୍ତ ଅଣ୍ଟା ଭିଡ଼ିଥିଲେ। ମଝିଆ ଭାଇ ବର୍ତ୍ତମାନ ଫୁଲବାଣୀ ସରକାରୀ କଲେଜରେ ପାଠ ପଢୁଥିବା ବେଳେ ସାନ ଭାଇ ଦ୍ଵିତୀୟ ଶ୍ରେଣୀରେ ପୁଢୁଛି। ସେନାରେ ଯୋଗ ଦେବା ଲାଗି ସାଧନା ଜାରି ରଖିବାକୁ ସେ ମଝିଆ ଭାଇକୁ ସର୍ବଦା ପରାମର୍ଶ ଦେଉଥିଲେ। ସାନଭଉଣୀ ବର୍ତ୍ତମାନ ରାଇକିଆ ସୁଧାକିରଣ କଲେଜରେ ଯୁକ୍ତ ଦୁଇ ପୁଢୁଛି। ଚନ୍ଦ୍ରକାନ୍ତ ଚାକିରି କରିବା ପରେ ପରିବାରର ଆର୍ଥିକ ସ୍ଥିତି ସୁଧୁରିଯାଇଥିଲା। ଗତବର୍ଷ ଡିସେମ୍ବର ମାସରେ ସେ ଶେଷ ଥର ପାଇଁ ଗାଁକୁ ଛୁଟିରେ ଆସିଥିଲେ।

ସମ୍ବନ୍ଧିତ ଖବର