କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲା : କମିସନ୍, ଅଧିକାରୀଙ୍କୁ ବାଦ୍‌ ଦେବାକୁ ନିର୍ଦ୍ଦେଶ

ରାଉରକେଲା ନିର୍ବାଚନୀ ମାମଲା: ସାକ୍ଷୀ ଓ ନଥିପତ୍ର ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ

କଟକ : କଣ୍ଟାବାଞ୍ଜି ବିଧାନସଭା ଆସନ ନିର୍ବାଚନୀ ଅନିୟମିତତାକୁ ନେଇ ଦାୟର ମାମଲାରୁ ଭାରତର ନିର୍ବାଚନ କମିସନ୍, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ବାଦ୍ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଜୟ ଦାସଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଲକ୍ଷ୍ମଣ ବାଗଙ୍କ ସହିତ ଭାରତର ନିର୍ବାଚନ କମିସନ୍, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ କଣ୍ଟାବଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ବାଚନୀ ମାମଲାରେ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯିବା ଆବଶ୍ୟକ ନାହିଁ ବୋଲି ଦର୍ଶାଇ ନିର୍ବାଚନ କମିସନ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀଙ୍କୁ ମାମଲାରୁ ବାଦ ଦେବା ପାଇଁ ପିଟିସନରେ ପ୍ରାର୍ଥନା କରାଯାଇଥିଲା। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ପିଟିସନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ପ୍ରତିପକ୍ଷ ତାଲିକାରୁ ଭାରତର ନିର୍ବାଚନ କମିସନ୍, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ବାଦ୍ ଦେବା ପାଇଁ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନୀ ମାମଲାରେ ବିଧାୟକ ଶ୍ରୀ ସାଲୁଜାଙ୍କ ପକ୍ଷରୁ ଦାଖଲ ଜବାବକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯କୁ ଧାର୍ଯ୍ୟ କରାଯାଇଛି।

ଅଜୟ ଦାସଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ଏବଂ ବିଧାୟକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ବାଳ ମାମଲା ପରିଚାଳନା କରୁଛନ୍ତି।

ରାଉରକେଲା ନିର୍ବାଚନୀ ମାମଲା: ସାକ୍ଷୀ ଓ ନଥିପତ୍ର ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ
କଟକ : ରାଉରକେଲା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଦାୟର ନିର୍ବାଚନୀ ମାମଲାରେ ସାକ୍ଷୀଙ୍କ ତାଲିକା ସହିତ ନଥିପତ୍ରର ସବିଶେଷ ତାଲିକା ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡକ୍ଟର ଜଷ୍ଟିସ ଏ.‌କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଆବେଦନକାରୀ ନିହାର ରାୟ ଓ ପ୍ରତିପକ୍ଷ ତଥା ବିଧାୟକ ସାରଦା ନାୟକଙ୍କୁ ଏ ସଂପର୍କିତ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଜାନୁଆରି ୬ରେ ପ୍ରତିପକ୍ଷ ବିଧାୟକ ଏହି ନିର୍ବାଚନୀ ମାମଲାରେ ପ୍ରାୟ ୬୫ ପୃଷ୍ଠାର ଜବାବ ଦାଖଲ କରିଥିଲେ।

ବିଧାୟକଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି। ବିଧାୟକ ଶ୍ରୀ ନାୟକଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର