କପ୍ତିପଦା: ପତ୍ନୀଙ୍କୁ ଅଟୋ ସକ୍‌ଆବ୍‌ଜର୍‌ବର୍‌ରେ ପିଟି ହତ୍ୟା କଲେ ସ୍ୱାମୀ

କପ୍ତିପଦା: ଗତ ରାତିରେ ବଡ଼ବିସୋଳ ପଞ୍ଚାୟତ ଅନ୍ତର୍ଗତ କପ୍ତିପଦା ଥାନା ନିକଟରେ ଥିବା ମହୁଲଡିହା ଗାଁ’ରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଅଟୋ ସକ୍‌ଆବ୍‌ଜର୍‌ବର୍‌ରେ ପିଟି ହତ୍ୟା କରିଛନ୍ତି।

ଅଭିଯୁକ୍ତ ୩୨ ବର୍ଷିୟ ବିଶ୍ୱଜିତ ମୁଖାର୍ଜୀଙ୍କର ଗତ କିଛି ଦିନ ହେବ ମାନସିକ ବିକୃତି ଦେଖା ଦେଇଛି ଏବଂ ସେହି କାରଣରୁ ସେ ଗତ ରାତି ପ୍ରାୟ ୧ଟା ବେଳେ ନିଜ ପତ୍ନୀ ୨୦ ବର୍ଷୀୟ ସୁଭଦ୍ରା ମୁଖାର୍ଜୀ ଓରଫ୍‌ ଝୁମୁରି ଦଳେଇଙ୍କୁ ପିଟି ମାରି ଦେଇଥିବା କୁହାଯାଉଛି।

ବିଶ୍ୱଜିତଙ୍କ ପିତା ୫୮ ବର୍ଷିୟ ଅରୁଣ ମୁଖାର୍ଜୀ ଜଣେ ଅଟୋ ଚାଳକ ଏବଂ ତାଙ୍କ ଘରେ ଦୁଇଟି ଅଟୋ ଅଛି। ସେ କହନ୍ତି, ମାନସିକ ବିକୃତି କାରଣରୁ ପ୍ରାୟ ସପ୍ତାହେ ତଳେ ବିଶ୍ୱଜିତ ତାଙ୍କ ବାଡ଼ିରେ ଥିବା ଗୋଟାଏ ୩୦ ଫୁଟ୍‌ ଉଚ୍ଚ ସିରିସା ଗଛକୁ ଚଢ଼ି ଯାଇଥିଲେ। ଖବର ପାଇବା ପରେ ପୁଲିସ ଦମକଳବାହିନୀ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲା।

ଗତ କାଲି ବିଶ୍ୱଜିତଙ୍କର ଚିକିତ୍ସା ପାଇଁ ବାରିପଦାସ୍ଥିତ ଜଣେ ମାନସିକ ବିଶେଷଜ୍ଞଙ୍କ ପାଖକୁ ନିଆଯାଇଥିଲା। ସେମାନେ ଔଷଧପତ୍ର ନେଇ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଘରେ ପହଞ୍ଚି ଖିଆପିଆ କରିଥିଲେ। ବିଶ୍ୱଜିତ ମଧ୍ୟ ଭାତ ତରକାରି ଆଦି ଖାଇବା ପରେ ଡାକ୍ତର ଲେଖିଥିବା ୫/୬ଟି ଔଷଧ ଖାଇଥିଲେ।

ପ୍ରାୟ ରାତି ଅଧ ପରେ ବିଶ୍ୱଜିତଙ୍କର ପୂର୍ବ ଆଚରଣ ବାହାରିଥିଲା ଏବଂ ସେ ଥିବା ଗୋଟାଏ ଅଟୋ ସକ୍‌ଆବ୍‌ଜର୍‌ବର୍‌ରେ ପତ୍ନୀ ସୁଭଦ୍ରାଙ୍କ ମୁଣ୍ଡରେ ପିଟିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ।

ପରିବାର ଲୋକେ କୌଣସି ମତେ ବିଶ୍ୱଜିତଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। ସୁଭଦ୍ରାଙ୍କ ଶବ ବ୍ୟବଚ୍ଛେଦ ପାଇଁ କପ୍ତିପଦା ଡାକ୍ତରଖାନାକୁ ନିଆଯାଇଛି।

ଉଭୟଙ୍କର ଲକ୍ଷ୍ମୀପ୍ରିୟା ନାମରେ ୭ ମାସର ଟିକି ଝିଅଟିଏ ଅଛି। କିନ୍ତୁ, ସୁଭଦ୍ରାଙ୍କ ପରିବାର ଏହାକୁ ଯୌତୁକ ଜନିତ ହତ୍ୟା ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର