ଲୁଟିବା ପାଇଁ ବିଜୁଳି ବିଲିଂରେ କାରସାଦି: ୨୫ ଦିନିଆ ବିଲ୍‌, ଗୋଟିକରେ ଠକୁଛନ୍ତି ୪୩ ଟଙ୍କା

ଭୁବନେଶ୍ବର : ବିଦ୍ୟୁତ ଭିତ୍ତିଭୂମି ବିକାଶ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଘନ ଘନ ବିଦ୍ୟୁତ କାଟ୍‌ ଚାଲିଛି। ପରିବହନ ଜନିତ କ୍ଷତି ମଧ୍ୟ ଡିସ୍‌କମ୍‌ କମ୍ପାନିମାନେ କମାଇ ପାରୁ ନାହାନ୍ତି। ଫଳରେ ଉପଭୋକ୍ତାଙ୍କ ମୁଣ୍ଡରେ ଆର୍ଥିକ ବୋଝ ଲଦି ଦିଆଯାଉଛି। ଏହାକୁ ନେଇ ଡିସ୍‌କମ୍‌ କମ୍ପାନି ବିବାଦରେ ରହିଥିବା ବେଳେ ଆଉ ଏକ ଗୁମର ପଦାରେ ପଡ଼ିଛି। ପୂର୍ବରୁ ୩୦ ଦିନରୁ ଅଧିକ ଦିନର ବିଲ୍‌ ତିଆରି କରି ଡିସ୍‌କମ୍‌ କମ୍ପାନି ବିବାଦରେ ଥିବା ବେଳ‌େ ଏବେ ୩୦ ଦିନରୁର କମ୍‌ ଦିନରେ ବିଲିଂ କରି ଉପଭୋକ୍ତାଙ୍କୁ ଠକିବା ପାଇଁ କମ୍ପାନି ନୂଆ କାରସାଦି କରିଛି। ଏକାଧିକ ଅଭିଯୋଗର ତର୍ଜମା କଲାବେଳ‌େ ଏଭଳି ସାଂଘାତିକ ସତ୍ୟ ପଦାକୁ ଆସିଛି।

ଭୁବନେଶ୍ବରରେ ଟିପିସିଓଡିଏଲ୍‌ ବିଦ୍ୟୁତ ବଣ୍ଟନ ଦାୟିତ୍ବ ନେଇଛି। ୩୦ ଦିନ‌ରେ ବିଲ୍‌ ପ୍ରସ୍ତୁତ କରିବା କଥା କିନ୍ତୁ ୨୫ ଦିନରେ କମ୍ପାନି ବିଲ୍‌ପ୍ରସ୍ତୁତ କରିଛି। ପଟିଆ ଅଞ୍ଚଳରୁ ଆସିଥିବା ଅଭିଯୋଗ ମୁତାବକ, ଯେଉଁଠି ପ୍ରଥମ ୫୦ ୟୁନିଟ୍‌କୁ ୩ ଟଙ୍କା ହିସାବରେ ବିଲ୍‌ ହେବା କଥା ସେଠାରେ ୪୧ ୟୁନିଟ୍‌କୁ ୩ ଟଙ୍କା ହିସାବରେ ବିଲିଂ ହୋଇଛି। ବାକି ୯ ୟୁନିଟ୍‌ ଯାହା ୟୁନିଟ୍‌ ପିଛା ୩ ଟଙ୍କାରେ ହିସାବ ହେବା କଥା ତାହା ପରବର୍ତ୍ତି ସ୍ଲାବ୍‌କୁ ନିଆଯାଇ ୪ ଟଙ୍କା ୮୦ ପଇସା ଅର୍ଥାତ୍‌ ୧ଟଙ୍କା ୮୦ ପଇସା ଅଧିକରେ ବିଲିଂ କରାଯାଇଛି। ଅର୍ଥାତ୍‌ ଉପଭୋକ୍ତା ୧୬ ଟଙ୍କାରୁ ବେଶି ଦେଉଛି। ସେହିଭଳି ଦ୍ବିତୀୟ ସ୍ଲାବ୍‌ ହିସାବରେ ୧୫୦ ୟୁନିଟ୍‌କୁ ୪ ଟଙ୍କା ୮୦ ପଇସା‌ରେ ହିସାବ ହେବା କଥା ସେଠାରେ ୧୨୩ ୟୁନିଟ୍‌କୁ ୪ଟଙ୍କା ୮୦ରେ ହିସାବ କରି ବାକି ୨୭ ୟୁନିଟ୍‌କୁ ପରବର୍ତ୍ତି ସ୍ଲାବ୍‌ ୫ ଟଙ୍କା ୮୦ ପଇସା ଅର୍ଥାତ୍‌ ୟୁନିଟ୍‌ ପିଛା ଏକ ଟଙ୍କା ଅଧିକ ଉପଭୋକ୍ତା ଠାରୁ ନିଆଯାଉଛି। ଦ୍ବିତୀୟ ସ୍ଲାବ୍‌ରେ ଉପଭୋକ୍ତା ୨୭ ଟଙ୍କା ଅଧିକ ଦେଉଛି। ଯଦି ମୋଟାମୋଟି ହିସାବ କରିବା ତେବେ ଗୋଟିଏ ବିଲ୍‌ରେ କମ୍ପାନି ଜଣେ ଉପଭୋକ୍ତାଙ୍କ ଠାରୁ ଏଭଳି ୪୩ ଟଙ୍କାରୁ ଅଧିକ ନେଇ ଯାଉଛି। ଟିପିସିଓଡିଏଲ୍‌ ଅଧୀନରେ ଏବେ ପ୍ରାୟ ୨୬ ଲକ୍ଷ ଉପଭୋକ୍ତା ଅଛନ୍ତି। ଯଦି ଅଧା ଉପଭୋକ୍ତାଙ୍କ ବିଲ୍‌ରେ ଏଭଳି କାରସାଦି କରାଯାଏ ତେବେ ମାସକୁ କମ୍ପାନି ଏହି କାରସାଦି ବାବଦରେ ୧୧କୋଟିରୁ ବେଶି ଲୁଟି ନେଉଛି। ଯଦି ୩ ଫେଜ୍‌ ସଂଯୋଗ କଥା ବିଚାରକୁ ନିଆଯାଏ ତେବେ ସେଠାରେ ୪ଟି ସ୍ଲାବ୍‌ରେ କମ୍ପାନି ଗୋଟିଏ ବିଲ୍‌ରେ ୫୦ଟଙ୍କାରୁ ବେଶି ନେଉଛି। ଏଣୁ ତିନି ଫେଜ୍‌ ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ହିସାବକୁ ନେଲେ ଗୋଟିଏ ବିଲ୍‌ରେ ଠକେଇ ପରିମାଣ ଆହୁରି ବଢ଼ିବ ବୋଲି କୁହାଯାଉଛି।

ପଟିଆର ପ୍ରତ୍ୟୁଷ ମିଶ୍ରଙ୍କ ଅଭିଯୋଗ ମୁତାବକ, ଗୋଟିଏ ୩ ଫେଜ୍‌ ସଂଯୋଗ ଥିବା ଘର ପାଇଁ ଟିପିସିଓଡିଏଲ୍‌ ଦେଇଥିବା ବିଲ୍‌ରେ ଏଭଳି କାରସାଦି ହୋଇଛି। ଗତ ଏପ୍ରିଲ ମାସରେ ୧୯ ତାରିଖରେ ବିଲ୍‌ ହୋଇଥିଲା। ଚଳିତ ମାସ ୧୪ ତାରିଖରେ ବିଲ୍‌‌ ହୋଇଛି। ବିଲ୍‌ରେ ଲେଖା ହୋଇଛି ‘ବିଲ୍‌ଡ୍‌ ଫର ୦.୮୧୮୩ ମନ୍ଥସ୍‌’। ଅର୍ଥାତ୍‌ ୨୫ ଦିନର ବିଲ୍‌। କାହିଁକି ଏଭଳି ୨୫ ଦିନରେ ବିଲ୍‌ କରିବେ ଓ ଏଭଳି ଠକିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଟିପିସିଓଡିଏଲ୍‌ର ଜଣେ ବରି‌ଷ୍ଠ ଅଧିକାରୀଙ୍କ ମୁତାବକ, ୩୦ ଦିନିଆ ବିଲ୍‌ ହେଲେ ସ୍ଲାବ୍‌ ହିସାବ ପ୍ରଥମ ୫୦ୟୁନିଟକୁ ୩ଟଙ୍କା ହିସାବରେ ବିଲିଙ୍ଗ୍‌ ହେବ। ଉପରୋକ୍ତ ବିଲ୍‌ଟି ୨୫ଦିନ ପାଇଁ ହୋଇଛି। ଦିନ ପିଛା ହିସାବ କଲେ ଏଭଳି ପ୍ରଥମ ସ୍ଲାବରେ ପରିବର୍ତ୍ତନ ହୋଇଛି।

ଅନ୍ୟପଟେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ୩୦ ଦିନିଆ ବିଲ୍‌ କରିବା ପାଇଁ ଡିସ୍‌କମ୍‌ କମ୍ପାନିମାନଙ୍କୁ ନିର୍ଦ୍ଦେଶ ରହିଛି। ୩୦ ଦିନରୁ କମ୍‌ କିମ୍ବା ବେଶି କରିପାରିବେ ନାହିଁ। ଏମାନେ ଯେଉଁ ଦିନ ପିଛା ହିସାବ କରି ସ୍ଲାବ୍‌କୁ ଏପଟ ସେପଟ କରୁଛନ୍ତି ତାହା ବେଆଇନ୍‌। ଏସବୁକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ। ଏହା ଉପରେ ଓଇଆରସି(ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ହସ୍ତକ୍ଷେପ କରି ନିର୍ଦ୍ଦେଶନାମା ଜାରି କରିବା ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର