ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ : ରାଧାଦାମୋଦର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ‌ପ୍ରସ୍ତୁତ ହୋଇଛି। ନିର୍ଘଣ୍ଟ ଅନୁଯାୟୀ ସେବାପୂଜା ଆରମ୍ଭ ହୋଇଛି। ବ୍ରତର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି। କାର୍ତ୍ତିକ ଶୁକ୍ଳ ଦଶମୀ ତିଥି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପଞ୍ଚକ ଆରମ୍ଭ ହେବ। ଏହି ଦିନ ଠାରୁ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ, ବାଙ୍କଚୁଡ଼ ବେଶ, ଡାଳିକିଆ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ପୂର୍ଣ୍ଣମୀ ତିଥିରେ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ। ପଞ୍ଚକରୁ ରାଧାଦାମୋଦର ବେଶ ବଦଳରେ ମହାପ୍ରଭୁଙ୍କ ପଞ୍ଚକ ବେଶକୁ ବ୍ରତଧାରୀମାନେ ଦର୍ଶନ କରିବେ। କାର୍ତ୍ତିକ ବ୍ରତଧାରୀମାନେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଏବଂ ବାଳଧୂପ ନୀତି ସାରି ଏହି ବ୍ରତ ଆରମ୍ଭ କରିଛନ୍ତି। ଆଜି ସକାଳେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଶେଷ ପରେ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର