କେନ୍ଦ୍ର କମାଇଲା କିରାସିନି କୋଟା : ହିତାଧିକାରୀ ଏଣିକି ଅଢ଼େଇ ନୁହେଁ, ଦୁଇ ଲିଟର କିରାସିନି ପାଇବେ

ଅଣ ରିହାତି କିରାସିନି ମିଳୁ ନ ଥିବାରୁ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ବର : କେନ୍ଦ୍ର ସରକାର ଓଡ଼ିଶାର କିରାସିନି କୋଟା କମାଇ ଦେଇଛନ୍ତି। ତେଣୁ ଅଗଷ୍ଟ ମାସରେ ରାସନ୍ କାର୍ଡ ହିତାଧିକାରୀମାନଙ୍କୁ ଅଢ଼େଇ ଲିଟର ବଦଳରେ ଦୁଇ ଲିଟର କିରାସିନି ମିଳିବ। ଆଜି ବିଧାନସଭାରେ କିରାସିନି ସମ୍ପର୍କିତ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜଣାଇଛନ୍ତି, ପୂର୍ବରୁ ରାଜ୍ୟ କୋଟା ବାବଦରେ ମାସକୁ ୨୦,୭୦୦ କିଲୋଲିଟର କିରାସିନି ମିଳୁଥିଲା। ସେହି ହିସାବରେ ରାସନ୍ କାର୍ଡ ଧାରୀଙ୍କୁ ୨.୫ ଲିଟର କିରାସିନି ମିଳୁଥିଲା। ଅଗଷ୍ଟ ମାସ ପାଇଁ ଏହି କୋଟା କମି ୧୬,୩୮୪ କିଲୋଲିଟର କିରାସିନି ମିଳିଛି। ତେଣୁ ହିତାଧିକାରୀଙ୍କ ପିଛା ୧.୮୯ ଲିଟର କିରାସିନି ପଡ଼ୁଛି। କିନ୍ତୁ ରାଜ୍ୟ ସରକାର ୨ ଲିଟର ଲେଖାଏ ଦେବାକୁ ବ୍ୟବସ୍ଥା କରୁଛନ୍ତି।

ବିଜେଡି ସଭ୍ୟ ମୀନାକ୍ଷି ମହାନ୍ତଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟର ସହରାଞ୍ଚଳ ବିଶେଷ କରି ଖଣି ଓ ଶିଳ୍ପ ବହୁଳ ଅଞ୍ଚଳରେ କର୍ମ ଅନ୍ବେଷଣରେ ଆସି ବସବାସ କରୁଥିବା ଅଧିକାଂଶ ପରିବାରର ଖାଉଟି କାର୍ଡ ନ ଥିବାରୁ ସେହି ପରିବାରକୁ ବିନା ଖାଉଟି କାର୍ଡରେ କିରାସିନି ଯୋଗାଇ ଦେବାକୁ ପଦକ୍ଷେପ ନେବେ କି ? ଉତ୍ତରରେ ମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ବାରା ରିହାତି ଦରରେ ଯୋଗାଇ ଦିଆଯାଉଥିବା କିରାସିନି କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ର କାର୍ଡଧାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ରାଜ୍ୟରେ ଚାରିଟି ଜିଲ୍ଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ବିନା କାର୍ଡ ଧାରୀମାନଙ୍କୁ ଅଣରିହାତି ଦରରେ କିରାସିନି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ବାଦ୍ ସମସ୍ତ ଜିଲ୍ଲାପାଳମାନଙ୍କୁ ଅଣରିହାତି କିରାସିନି ଆବଶ୍ୟକତା ଜଣାଇବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ଜିଲ୍ଲାଗୁଡ଼ିକର ଆବଶ୍ୟକତା ସରକାରଙ୍କ ହସ୍ତଗତ ହେଲେ ଅଣରିହାତି ‌କିରାସିନି ଯୋଗାଇଦେବାର ପଦକ୍ଷେପ ନିଆଯିବ।

କିନ୍ତୁ ଅଣରିହାତି କିରାସିନି ମିଳୁ ନ ଥିବାରୁ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କହିଥିଲେ, ରାସନ୍ କାର୍ଡ ହିତାଧିକାରୀମାନଙ୍କୁ କିରାସିନି ରିହାତି ଦରରେ ମିଳୁଛି। କିନ୍ତୁ କାର୍ଡ ନ ଥିବା ଲୋକ କିରାସିନି ପାଉ ନାହାନ୍ତି। ବଜାରରେ ଏହା ମିଳୁନି। ବାରମ୍ବାର ବିଜୁଳି କାଟ ଯୋଗୁ ଲୋକ କିରାସିନି ଖୋଜୁଥିଲେ ବି କିଣିବାକୁ ପାଉ ନାହାନ୍ତି। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। କିନ୍ତୁ ମନ୍ତ୍ରୀ ଏ ନେଇ ଠୋସ୍ ପ୍ରତିଶ୍ରୁତି ଦେଇପାରି ନ ଥିଲେ। ଜିଲ୍ଲାପାଳଙ୍କ ଉପରକୁ ଦୋଷ ଠେଲିଥିଲେ। କହିଥିଲେ, ଜିଲ୍ଲାରେ ଅଣରିହାତି କିରାସିନିର ଚାହିଦା କେତେ ତାହା ଜଣାଇବା ପାଇଁ ଦୁଇ ଦୁଇ ଥର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଗଲାଣି। କିନ୍ତୁ ସେମାନେ ଚାହିଦା ଆକଳନ କରି ବିଭାଗକୁ ତଥ୍ୟ ଜଣାଉ ନାହାନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ, ବର୍ଷାରେ ବାରମ୍ବାର ବିଜୁଳି କଟୁଛି। ଲୋକ କିରାସିନି ପାଇଁ ହଇରାଣ ହେଉଛନ୍ତି। ଜିଲ୍ଲାପାଳମାନଙ୍କୁ ତାଗିଦ୍ କରି କିରାସିନି ଚାହିଦା ସମ୍ପର୍କରେ ରିପୋର୍ଟ ମଗାଯାଉ। କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ବିନା ରାସନ୍ କାର୍ଡରେ କିରାସିନି ଯୋଗାଣ ପାଇଁ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରତାପ ଦେବ କିରାସିନି କୋଟା କମୁଛି କି ନାହିଁ ପଚାରିଥିଲେ। ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟ ଫନି ବେଳେ କଣାସ ପଞ୍ଚାୟତରେ ଗୋଟିଏ କୋଟା କିରାସିନି ହେର୍‌ଫେର୍ ହୋଇଥିବା ‌େନଇ ଆଶଙ୍କା ପ୍ରକଟ କରିଥିଲେ। ବିଷ୍ଣୁବ୍ରତ ରାଉତରାୟ ଓ ମଞ୍ଜୁଳା ସ୍ବାଇଁ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ଫନି ବେଳେ ମାଗଣାରେ ପ୍ରଭାବିତ ଲୋକମାନଙ୍କୁ ଦୁଇଟି ପର୍ଯ୍ୟାୟରେ କିରାସିନି ଦିଆଯାଇଥିଲା। କଣାସରେ ଯଦି କିଛି ହେର୍‌ଫେର୍ ହୋଇଛି, ତେବେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର