ସଂକଟରେ କେଶନା ମୁଗୁନି ପଥରଶିଳ୍ପୀ

ସରକାରୀ ପ୍ରୋତ୍ସାହନ ନ ମିଳିଲେ ଲୋପ ପାଇବ କୌଳିକ ବୃତ୍ତି

କରଞ୍ଜିଆ ଗୋଲେଇ: ପାଞ୍ଚପିଢ଼ ଉପଖଣ୍ଡ ହେଉଛି କଳାସଂସ୍କୃତିର ମାଟି। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ଚମଡା, ବାଉଁଶ, ମାଟି ଓ ପଥର ମୂର୍ତ୍ତି କାରିଗର ବସବାସ କରନ୍ତି। କେଶନା ଅଞ୍ଚଳରେ କଳା ମୁଗୁନି ପଥର କାରିଗର ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ଏମାନଙ୍କ ନିଖୁଣ କାରୁକାର୍ଯ୍ୟ ବାସ୍ତବ ଓ ଜୀବନ୍ତ ପରି ଲଗିଥାଏ। ଖାଲି ମୂର୍ତ୍ତି ତିଆରି ନୁହେଁ, ଘର ଉପକରଣ ବି ନିଖୁଣ ଭାବେ ନିର୍ମାଣ କରିଥାନ୍ତି। ମାସମାସ ଧରି  ମୁଗୁନି ପଥର କାଟି ମୂର୍ତ୍ତି ନିର୍ମାଣ ପାଇଁ ସମୟ ଲାଗିଥାଏ। ହେଲେ ଏମାନଙ୍କ ପରିଶ୍ରମର ମୂଲ୍ୟ ବଜାରରେ ମିଳେ ନାହିଁ।

ଏବେ ଏମାନଙ୍କ କୌଳିକ ବୃତ୍ତିକୁ ନେଇ ସଂକଟ ଦେଖାଦେଇଛି। କଳା ମୁଗୁନି ପଥର ଦୁର୍ଲଭ ହୋଇଯାଇଛି। ଦୀର୍ଘବର୍ଷ ହେବ ପଥର କ୍ବାରୀ ନିଲାମ୍‌ ଦିଆଯାଉନାହିଁ। ବାରମ୍ବାର ଜିଲ୍ଲାପାଳ ଓ ଖଣି ଅଧିକାରୀଙ୍କୁ ସ୍ଥାନୀୟ ପ୍ରଶାସନ ପଥର କ୍ବାରୀ ନିଲାମ ସଂକ୍ରାନ୍ତରେ ଜଣାଇଲେ ମଧ୍ୟ ଏ ଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ।  କୌଳିକ ବୃତ୍ତି ଭାବେ ଆପଣେଇଥିବା ମୂର୍ତ୍ତି କାରିଗର ପଥର ପାଇ ପାରୁନାହାନ୍ତି। ଫଳରେ ମୂର୍ତ୍ତି ଗଢିବା ଦିଗରୁ ମୁହଁ ଫେରାଉଛନ୍ତି। ଫଳରେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି।

ଯଦି ଏମାନଙ୍କ ମୂର୍ତ୍ତି ଉଚିତ ମୂଲ୍ୟରେ ବିକ୍ରି ହୁଅନ୍ତା ଏବଂ ପଥର ସଂଗ୍ରହ ପାଇଁ ନିଲାମ ବ୍ୟବସ୍ଥା ରୁହନ୍ତା ତେବେ ଏହି ପ୍ରସ୍ତର ମୂର୍ତ୍ତି ବ୍ୟବସାୟକୁ ବଞ୍ଚାଯାଇପାରିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ଉତ୍ପାଦିତ ମୂର୍ତ୍ତିର ଉଚିତ୍‌ ମୂଲ୍ୟ ଧାର୍ଯ୍ୟ କରି ବଜାରରେ ବିକ୍ରୟ ବ୍ୟବସ୍ଥା କଲେ ଏହି କଳା ବଞ୍ଚି ରହିବ ବୋଲି ସ୍ଥାନୀୟ ଶିଳ୍ପୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର