ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜାଲିଆତି: ବ୍ୟାଙ୍କ ସିଇଓଙ୍କ ବହିଷ୍କାର ଦାବି କଲେ ବିଧାୟକ ଜିତୁ ମିତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ କେତେକ କର୍ମଚାରୀ ମିଶି ପ୍ରାୟ ୧୦୦ ଗରିବ ହିତାଧିକାରୀଙ୍କ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିଛନ୍ତି । ଏହି ମାମଲାରେ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ତଦନ୍ତ କରାଇବାକୁ ସୁପାରିଶ କରିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ ଆରମ୍ଭ ନହେଉଣୁ ବ୍ୟାଙ୍କର ଆଉ ଏକ ଜାଲିଆତିର ପର୍ଦ୍ଦାଫାଶ୍ ହୋଇଛି । ବିଭିନ୍ନ ଶାଖାରେ ଲାଂଚ ନେଇ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଥିବା ନେଇ ଅଡିଟରେ ଜଣାପଡ଼ିବା ପରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏଥିପାଇଁ ବ୍ୟାଙ୍କ ସିଇଓଙ୍କୁ ଦାୟୀ କରିଛନ୍ତି । ତୁରନ୍ତ ସିଇଓଙ୍କ ବିରୋଧରେ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ୨ ପୃଷ୍ଠାର ଚିଠି ଲେଖିଛନ୍ତି ।

ସୂଚନାନୁସାରେ, ବ୍ୟାଙ୍କର ସହକାରୀ ପଦବୀ ପୂରଣ କରିବାକୁ ନିୟମାନୁସାରେ ପିଏସି ସମ୍ପାଦକଙ୍କ ଗ୍ରେଡେସନ ତାଲିକା ଓ ସଂରକ୍ଷଣ କୋଟାକୁ ଦୃଷ୍ଟିରେ ରଖାଯାଇଥାଏ । କିନ୍ତୁ ବ୍ୟାଙ୍କର ସିଇଓ ଅନନ୍ତ କୁମାର ସାମଲ ଏହାର ଖୋଲା ଉଲ୍ଲଂଘନ କରିଛନ୍ତି । ଏହାସହ ପ୍ରମୋଟିମାନଙ୍କ କୋଟି କୋଟି ଟଙ୍କା ଅଡିଟ୍ ଦେୟ ଭରଣା ନକରାଯାଇ ପରୀକ୍ଷା ଓ ସାକ୍ଷାତକାର ନାମରେ ବ୍ୟାପକ ଜାଲିଆତି କରି ୨୬ଟି ପିଏସି (ପ୍ରାଥମିକ କୃଷି ସମବାୟ ସମିତି)ରେ ନିଯୁକ୍ତି ଦିଆଯାଇଛି । ଏଭଳି ଜାଲିଆତି କରି ନିଯୁକ୍ତି ଦିଆଯାଇଥିବା ଶାଖାଗୁଡ଼ିକ ହେଲା ବାଲିଅନ୍ତା ଶାଖା ଅଧୀନ ମହୁକୁନ୍ଦ ସୋସାଇଟି, ବାଲୁଗାଁ ଶାଖା ଅଧୀନ ନିମିକେତ ସୋସାଇଟି ଓ ନଇରି ସୋସାଇଟି, ବୋଲଗଡ଼ ଶାଖାର ଅସରଳା ସୋସାଇଟ. ବଡ଼କୁମାରୀ ଓ ଡିହଖାଉରୁଣି ସୋସାଇଟି, ବାଲିପାଟଣା ଶାଖାର ନିଶ୍ଚିନ୍ତପୁର ସୋସାଇଟି, ବେଗୁନିଆ ଶାଖାର କାଳିକାପ୍ରସାଦ ସୋସାଇଟି ଓ ଶଗଡ଼ଭଙ୍ଗା ସୋସାଇଟି ରହିଥିବା ଜଣାଯାଇଛି ।

ଏନେଇ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ରାଜ୍ୟ ସମବାୟ ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ସଚିବଙ୍କୁ ମାର୍ଚ୍ଚ ୨୭ ତାରିଖରେ ଚିଠି ଲେଖି ସମ୍ପୃକ୍ତ ସିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଚିଠିରେ ଦର୍ଶାଇଛନ୍ତି ଯେ ସିଇଓ ଶ୍ରୀ ସାମଲ ବ୍ୟାଙ୍କର କର୍ମଚାରୀଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦ୍ୱ ଓ ବିବାଦ ସୃଷ୍ଟି କରି ନିଜର କୋଟରୀ ଗୋଷ୍ଠୀ ଦ୍ୱାରା ସମସ୍ତ କାରବାର କରୁଛନ୍ତି । ନିକଟରେ ରାଉତପଡ଼ା ଶାଖାରେ ହୋଇଥିବା ଦେଢ଼ କୋଟି ଟଙ୍କାର ଜାଲିଆତିରେ ଅଭିଯୁକ୍ତ କର୍ମଚାରୀଙ୍କୁ ଖସାଇବାକୁ ଉଦ୍ୟମ କରିବା ସହ ବ୍ୟାଙ୍କରେ ଚାଲୁଥିବା ଅନ୍ୟ ଦୁର୍ନୀତିଗୁଡ଼ିକରେ ସେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି । ଶ୍ରୀ ମିତ୍ର କହିଛନ୍ତି ଯେ ଖୋର୍ଦ୍ଧାର ବିଧାୟକ ଭାବେ ୧୫ ବର୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ଓ ନିର୍ଦ୍ଦେଶକ ଭାବେ ଦାୟିିତ୍ୱ ତୁଲାଇଛନ୍ତି, କିନ୍ତୁ କେବେ ବ୍ୟାଙ୍କରେ ଏଭଳି ଖୋଲାଖୋଲି ଦୁର୍ନୀତି ହୋଇଥିବା ସେ ଦେଖିନାହାନ୍ତି ।

ସମ୍ବନ୍ଧିତ ଖବର