ନିଶା ସେବନ ଓ ନିଶାଦ୍ରବ୍ୟ କାରବାରରେ ରାଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିଶା ସେବନ ଓ ନିଶାଦ୍ରବ୍ୟ କାରବାରରେ ରାଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଗତ ୪ ବର୍ଷ ଧରି ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରଭାବ ପଡ଼ିଲା ଭଳି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ମଦ, ଗଞ୍ଜେଇ ଓ ବ୍ରାଉନ୍‌ସୁଗାର୍‌ ଭଳି ମାଦକଦ୍ରବ୍ୟର ବିକ୍ରି ଓ ବ୍ୟବହାର ଏବେ ଖୁଲମଖୁଲା ଚାଲୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବେ ବିପୁଳ ପରିମାଣରେ ଗଞ୍ଜେଇ, ବ୍ରାଉନ୍‌ସୁଗାର, ଦେଶୀମଦ ଆଦି ଜବତ ହେଉଛି। କେବଳ ଏତିକି ନୁହେଁ, ନୟାଗଡ଼, ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ପୁରୀ ଆଦି ଅଞ୍ଚଳକୁ ଏହି ସ୍ଥାନରୁ ବ୍ରାଉନ୍‌ସୁଗାର୍‌ ଚାଲାଣ ହେଉଥିବାର ଅଭିଯୋଗ ଆସିଛି। ଏହି ସମସ୍ତ ତଥ୍ୟ ରାଜ୍ୟ ପ୍ରଶାସନ ନିକଟରେ ରହିଥିଲେ ମଧ୍ୟ ଏଭଳି ଏକ ସାଂଘାତିକ ସ୍ଥିତିର ନିୟନ୍ତ୍ରଣ ପାଇଁ କୌଣସି ଉଦ୍ୟମ କରାଯାଉନାହିଁ।

nari.punjabkesari.in

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଗତ ୪ ବର୍ଷର ତଥ୍ୟାନୁସାରେ, ଖୋର୍ଦ୍ଧାରେ ନିଶାଖୋରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୭-୧୮ ବର୍ଷରେ ୭୭୯ଜଣ ନିଶାଖୋରଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୧୧୬୩ରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ୭୧୫ ଜଣଙ୍କୁ ନିଶା ନିବାରଣ କେନ୍ଦ୍ର ଦ୍ବାରା ନିଶାମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ୨୦୨୧-୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୧୩୪ରେ ପହଞ୍ଚିଛି। ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଏହି ୨୧୩୪ ଜଣଙ୍କ ମଧ୍ୟରୁ ୯୭୬ ଜଣ ମଦ, ୨୯୫ ଜଣ ଗଞ୍ଜେଇ ଓ ଭାଙ୍ଗ, ୧୪ ଜଣ ଅଫିମ, ୩୬୧ଜଣ ବ୍ରାଉନ୍‌ସୁଗାର୍‌, ୧୧୬ ଜଣ କୋରସ୍‌, ଫେଭିକୁଇକ୍ ଓ ଅନ୍ୟ ମାଦକଦ୍ରବ୍ୟର ସେବନ କରିଥିବା ଜଣାପଡ଼ିଛି। ଯେଉଁମାନେ ନିଶା ନିବାରଣ କେନ୍ଦ୍ରକୁ ଆସିନାହାନ୍ତି ସେମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ନିରୂପଣ କରାଯାଇନାହିଁ।

thehealthsite.com

କେବଳ ଖୋର୍ଦ୍ଧା ସହରକୁ ତର୍ଜମା କଲେ ଏକ ସ୍ବେଚ୍ଛାସେବୀ ସଂସ୍ଥାର ତଥ୍ୟାନୁସାରେ, ଖୋର୍ଦ୍ଧା ସହରର ୧୫ରୁ ୪୫ ବର୍ଷ ମଧ୍ୟରେ ୧୮ ହଜାର ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ହଜାର ବ୍ୟକ୍ତି ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି। ଏହାର ସତ୍ୟତା ଖୋର୍ଦ୍ଧାର ୪ଟି ନିଶା ନିବାରଣ କେନ୍ଦ୍ରର ତଥ୍ୟରୁ ଆପାତତଃ ସ୍ପଷ୍ଟ ହେଉଛି। କାରଣ କେବଳ ଗୋଟିଏ ବର୍ଷ(୨୦୨୧–୨୨)ରେ ଖୋର୍ଦ୍ଧା ଜିଲ୍ଲାର ୨୨୪୪ ଜଣ ବ୍ୟକ୍ତି ନିଶା ସେବନ ଦ୍ବାରା ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଥିବା ବେଳେ ୧୬୭୨ଜଣ ପାରିବାରିକ ପରାମର୍ଶ(ଫ୍ୟାମିଲି କାଉନ୍‌ସିଲିଂ ପ୍ରୋଗ୍ରାମ)ରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ସହରର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ପକ୍ଷରୁ ଏଦିଗରେ ଏବେ ଠାରୁ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଖୋର୍ଦ୍ଧାର ପରିସ୍ଥିତି ସାଂଘାତିକ ହେବ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର