କଳାହାଣ୍ଡି କପାରେ ୪ ସୂତାକଳ ଚାଲିପାରିବ

ମୁଖ୍ୟମନ୍ତ୍ରୀଙ୍କୁ ବୁଦ୍ଧିଜୀବୀଙ୍କ ଟୁଇଟ୍‌
କୃଷି ସଂକଟ ଓ ଶ୍ରମିକ ସମସ୍ୟା ଦୂର ହୋଇପାରିବ
ନୂଆ ସମ୍ଭାବନା ସୃଷ୍ଟି, ଏକଜୁଟ୍‌ ହେଲେ ଅଞ୍ଚଳବାସୀ

କେସିଙ୍ଗା : ‘କଳାହାଣ୍ଡି କପାରେ ୪ଟି ସୂତାକଳ ଚାଲିପାରିବ’ ଶୀର୍ଷକ ଏକ ତଥ୍ୟ ଭିତ୍ତିକ ବିସ୍ତୃତ ରିପୋର୍ଟ ସୋମବାର ‘ସମ୍ବାଦ’ରେ ପ୍ରକାଶ ପାଇବା କଳହାଣ୍ଡିରେ ସୂତାକଳର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଁ ଠୁ ଆରମ୍ଭ କରି ଅନ୍ୟରାଜ୍ୟ ତଥା ବିଦେଶରେ ରହୁଥିବା ବହୁ ବୁଦ୍ଧିଜୀବୀ କେସିଙ୍ଗା ସୂତାକଳକୁ ପୁନରୁଦ୍ଧାର କରି ଟେକ୍ସଟାଇଲ ଓ କଟନ୍‌ ପାର୍କ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ ମାଧ୍ୟମରେ ଦାବି କରିଛନ୍ତି। ବର୍ତ୍ତମାନ କୃଷିକ୍ଷେତ୍ରରେ ଉପୁଜିଥିବା ସଂକଟ ଏବଂ କରୋନା ଜନିତ ପ୍ରବାସୀ ଶ୍ରମିକଙ୍କ କାମଧନ୍ଦା ଯୋଗାଣକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଟୁଇଟ୍‌ ମାନଙ୍କରେ ଉଲ୍ଲେଖ ରହିଛି।

କେସିଙ୍ଗା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ସ୍ଥାନୀୟ ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଣାର୍କ ସୂତାକଳକୁ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିବା ସହ ସ୍ଥାନୀୟ ନେତୃବୃନ୍ଦଙ୍କୁ ଏକଜୁଟ କରିବାକୁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅଞ୍ଚଳର ଚାଷୀ, ରାଜନେତା, ଯୁବ ସଙ୍ଗଠକ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀମାନେ ‌ସାମିଲ ହୋଇ ଦଳ ମତ ନିର୍ବିଶେଷରେ ସମସ୍ତେ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଲଢ଼େଇ କରିବାର ଆହ୍ୱାନ ଦେଇଥିଲେ। ସୋମବାର ଦିନତମାମ ଏହି ପ୍ରସଙ୍ଗ ନେଇ ଜିଲ୍ଲାର ବହୁ ବୁଦ୍ଧିଜୀବୀ ନିଜ ମତାମତ ସୋସିଆଲ ମିଡିଆରେ ରଖିଛନ୍ତି। ବିଶିଷ୍ଟ ଉଦ୍ଭିଦ ବିଜ୍ଞାନର ଲେଖକ ତଥା ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ ନନ୍ଦ ବହୁ ଦିନରୁ କଳାହାଣ୍ଡିର କପା ଓ କୋଣାର୍କ ସୂତାକଳର ଭିତ୍ତିଭୂମିକୁ ଦେଖିଲେ ସରକାର ପଦକ୍ଷେପ ନେବା କଥା, ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା ପଡ଼ିରହିଥିବା କହିଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମର ସ୍ୱର ହୋଇ ପହଞ୍ଚାଇବା କଥା ପହଞ୍ଚାଉ ନାହାନ୍ତି।

ଆମେରିକାନ୍‌ ୟୁନିଭର୍‌ସିଟି ଲେଵନନର ପ୍ରଫେସର ଦିଗମ୍ବର ପାତ୍ର ‘ସମ୍ବାଦ’ର ତଥ୍ୟଭିତ୍ତିକ ଖବରକୁ ନେଇ କଳାହାଣ୍ଡିରେ ଟେକ୍ସଟାଇଲ ଓ କଟନ ପାର୍କର ଆବଶ୍ୟକତା ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ପୂର୍ବ ସିଡିଏମଓ ଡାକ୍ତର ଗୁଣସାଗର ସାହା ଜିଲ୍ଲାର କପା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ସୂତାକଳକୁ ଆରମ୍ଭ କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ସେହିପରି ପୂର୍ବତନ ନଗରପାଳ ପ୍ରତିଭା ଚୌଧୁରୀ, ରାମକୁମାର ଜୈନ, ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ସଚେତନ ମଞ୍ଚ ସଭାପତି ଚିତ୍ତରଞ୍ଜନ ଭୋଇ, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ରୋହିତ ଭୋଇ, ପୂର୍ବ ଉପାଧ୍ୟକ୍ଷ କୃଷ୍ଣ ସାହୁ, ସୂର୍ଯ୍ୟକାନ୍ତ ଦାସ, ରମାକାନ୍ତ ଗୌଡ଼, ଚାଷୀ ମହେନ୍ଦ୍ର ନାଏକ, ସୁରେଶ ମହାନନ୍ଦ, ଯୁବସଙ୍ଗଠକ ଏ. ସୁରେଶ ବାବୁ ପ୍ରମୁଖ ଯୋଗଦେଇ ସୂତାକଳ ପୁନରୁଦ୍ଧାର ପାଇଁ ଦାବି ଜଣାଇଛନ୍ତି। ଫଳରେ ଏହି ପ୍ରସଙ୍ଗ ଏବେ ଜିଲ୍ଲାରେ ଜୋର ଧରିଲାଣି।

Regeneration International

ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତୀୟ ମାନର ୫ ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନ ହେଉଛି। ଯାହାର କଞ୍ଚାମାଲରେ ୪ ଗୋଟି ସୂତାକଳ ଚାଲିପାରିବ। ଜିଲ୍ଲାର ୧୨ ଶହ ଲୋକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ସୁ‌ଯୋଗ ପାଇପାରିବେ। ବର୍ତ୍ତମାନ ୨୫ ହଜାର ତାକୁଡ଼ି ବିଶିଷ୍ଟ ସୂତାକଳ ପାଇଁ ଭିତ୍ତିଭୂମି ରହିଛି। ମାତ୍ର ଆବଶ୍ୟକ ଜମି, ନିକଟରେ ୨୨୦ କେଭି ଗ୍ରିଡ଼, ହାତପାଆନ୍ତାରେ କଞ୍ଚାମାଲ ଥିବାରୁ ଏଠି ଆହୁରି ବଡ଼ ସୂତାକଳ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେବିକେ ଜିଲ୍ଲାର କପାକୁ ଆକଳନ କରି କରାଯାଇଥିବା ଏହି ସୂତାକଳ ସହିତ ଟେକ୍ସଟାଇଲ ପାର୍କ, କଟନ ପାର୍କ ଓ କପା ଗବେଷଣା କେନ୍ଦ୍ର ବି ସଫଳତାର ସହ ହୋଇପାରିବ ବୋଲି ଏହି ବିଶେଷଜ୍ଞମାନେ କହିଛନ୍ତି। ଏ ଦିଗରେ ସ୍ୱତନ୍ତ୍ର ଭାବେ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ୩୦ ବର୍ଷ ପରେ ଏହି ପ୍ରକଳ୍ପ ପ୍ରତି ସମସ୍ତଙ୍କ ନଜର ପଡ଼ିଥିବାରୁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବା ଆଶା ଉଜ୍ବଳ ହୋଇଛି।

ସମ୍ବନ୍ଧିତ ଖବର