କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ଆଲୋଚନା, ବାହାରି ପାରିଲାନି ନିଷ୍କର୍ଷ

କୋଣାର୍କ: ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ ଏହାର ନିଷ୍କର୍ଷ ବାହାରିପାରି ନାହିଁ। ସ୍ଥାନୀୟ ଯାତ୍ରୀନିବାସ ପରିସରରେ ଆୟୋଜିତ ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସୂର୍ଯ୍ୟମନ୍ଦିର ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଏଏସ୍‌ଆଇର ବରିଷ୍ଠ ଅଧିକାରୀ, ଗବେଷକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନାହିଁ।

ଜାତୀୟ କର୍ମଶାଳା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି, ଲୋକେ ଚାହୁଁଛନ୍ତି, ମନ୍ଦିର ଭିତରୁ ବାଲି କଢ଼ାଯାଉ। ମନ୍ଦିର ଭିତରୁ ବାଲି କାଢ଼ିବା ଦ୍ୱାରା ଏହା ଆହୁରି ପ୍ରାୟ ୫୦୦ରୁ ଅଧିକ ବର୍ଷ ଯାଏଁ ମନ୍ଦିର ଅକ୍ଷୁର୍ଣ୍ଣ ରହିବ। ସୂଚନାଯୋଗ୍ୟ, କୋଣାର୍କ ମନ୍ଦିର ଭିତରେ ଇଂରେଜମାନେ ୧୯୦୫ରେ ବାଲି ଭର୍ତ୍ତି କରିଥିଲେ। କିନ୍ତୁ ଏବେ ଏହି ବାଲିକୁ ପର୍ଯ୍ୟାୟକ୍ରମେ ବାହାର କରାଯାଇ କୋଣାର୍କ ମନ୍ଦିର ଯେଭଳି ସୁରକ୍ଷିତ ରହିପାରିବ ସେ ଦିଗରେ କାମ କରାଯିବା ଦରକାର।

ଅନ୍ୟପଟରେ ୧୦ ବର୍ଷ ହେବ ସିବିଆରଆଇ (ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇଷ୍ଟିଚ୍ୟୁସନ) ରିପୋର୍ଟ ଆସିପାରି ନାହିଁ। ତେଣୁ ଏହି ରିପୋର୍ଟ ଆସିବା ପରେ ସରକାର ଏନେଇ ବିଚାର କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜିର ଆଲୋଚନା ପାଇଁ ୨ଟି ଅଧିବେଶନ ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଳକ୍ରିଷ୍ଣନ, ଏଏସ୍‌ଆଇ ଏଡିଜି, ସ୍ତମ୍ଭକାର ଏବଂ ପ୍ରଫେସର ଅମୀୟ ଭୂଷଣ ତ୍ରିପାଠୀ, କୋଣାର୍କ ଗବେଷକ ଅନୀଲ ଦେ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସଂଜୟ ଆଚାର୍ଯ୍ୟ, ଏଡିଜି ରାକେଶ ସିଂ ଲାଲ, ଆମିକସ କ୍ୟୁରି ଏନ୍‌କେ ମହାନ୍ତି, ଜାତୀୟ ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଡ. ବି.ଆର. ମଣି, ଏଏସ୍‌ଆଇ ଯୁଗ୍ମ ଡିଜି ଏମ୍‌ ନାନ୍ଦିରଂଜନ, ଏଏସ୍‌ଆଇ ଯୁଗ୍ମ ଡିଜି ଗାନ୍ଧି ଶର୍ମା ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର