ଇମ୍ରାନଙ୍କୁ ଚିଠି ଲେଖି ଧମକାଇଲେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ : ପାକିସ୍ତାନ‌ରେ ବନ୍ଦ କରିଦେବୁ ସେବା

ମୁମ୍ବାଇ: ପୃଥିବୀର ପ୍ରମୁଖ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଗୁଗଲ୍, ଫେସବୁକ ଓ  ଟ୍ୱିଟର ସମେତ ଅନ୍ୟ ସଂସ୍ଥା ପାକିସ୍ତାନର ନୂଆ ଇଣ୍ଟରନେଟ୍ ସେନସରସିପ୍ ଆଇନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏହି ଆଇନ ଅନୁସାରେ ସେମାନେ ପାକିସ୍ତାନବାସୀଙ୍କୁ ସେବା ଯୋଗାଇବା ସମ୍ଭବ ହେବନାହିଁ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଅନ୍ତର୍ଜାତୀୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ। କାରଣ ନୂଆ ଆଇନର ପ୍ରାବଧାନ ଅନୁସାରେ ଗୁଗଲ୍, ଫେସବୁକ ଓ ଟ୍ୱିଟର ଯଦି ନୂଆ ଆଇନକୁ ମାନି ନ ପାରନ୍ତି ତେବେ ମୋଟା ଅଙ୍କର ଜରିମାନା ଦେବାକୁ ହେବ। ଏଥିସହ ସେବା ଉପରେ କଟକଣା ବି ଲାଗୁ ହେବାର ବ୍ୟବସ୍ଥା ରହିଛି ନୂଆ ଆଇନରେ।


ARY News

ଗୁଗଲ୍, ଫେସବୁକ ଓ  ଟ୍ୱିଟର ଭଳି ଅନ୍ତର୍ଜାତୀୟ ସଂସ୍ଥାମାନେ ଏ ଯାବତ୍ ନିଜ ପ୍ରଣୀତ ନିୟମ ଅନୁସାରେ ବ୍ୟବହାରକାରୀଙ୍କୁ ପରିଚାଳିତ କରୁଛନ୍ତି। ମାତ୍ର ପାକ୍ ସରକାରଙ୍କ ନୂଆ ସେନସରସିପ୍ ଆଇନ ଦ୍ବାରା ସରକାର ସୋସିଆଲ୍ ମିଡିଆ ପ୍ଲାଟଫର୍ମଙ୍କ ବିଷୟବସ୍ତୁ ଉପରେ ଅଙ୍କୁଶ ଲଗାଇ ପାରିବେ। ଏହା ଗୁଗଲ୍, ଫେସବୁକ ଓ  ଟ୍ୱିଟରର ପରିଚାଳନାକୁ ପ୍ରଭାବିତ କରିବ। ଏହାକୁ ନଜରରେ ରଖି ଏସିଆ ମହାଦେଶରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମଙ୍କ ସଂଗଠନ ଏସିଆ ଇଣ୍ଟରନେଟ୍ କୋଆଲିସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ପତ୍ର ଦ୍ବାରା ଜଣାଇଛି କି ଏହି ଆଇନରେ ଯଦି ପରିବର୍ତ୍ତନ ନ ଅଣାଯାଏ ତେବେ ସେମାନେ ପାକିସ୍ତାନର ୭୦ ନିୟୁତ ବ୍ୟବହାରକାରୀ ଓ ବ୍ୟାବସାୟିକ ସଂସ୍ଥାଙ୍କୁ ସେବା ‌ଯୋଗାଇବା ବନ୍ଦ କରିଦେବେ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମଙ୍କ ଏହି ସତର୍କବାଣୀ ପରେ ପାକ୍ ସରକାର ନୂଆ ଆଇନର ସମୀକ୍ଷା କରିବାକୁ ଚିନ୍ତା କରୁଛନ୍ତି। ସିଭିଲ୍ ସୋସାଇଟି ଓ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର