କୋଣାର୍କର ସୁରକ୍ଷା ଦାୟିତ୍ବ ନେବ ସିଆଇଏସ୍‌ଏଫ୍

ଏଏସ୍‌ଆଇ ଏଡିଜିଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ବ ନେବ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌)। ସୂର୍ଯ୍ୟ ମନ୍ଦିରର ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଏଡିଜି ରାକେଶ ସିଂ ଲାଲ୍‌ ସିଆଇଏସ୍‌ଏଫ୍‌ର କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଜି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ଅବସରରେ ଏ ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ଏଏସ୍‌ଆଇ ଏଡିଜି ଶ୍ରୀ ଲାଲ୍‌ ଆଜି ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚିବା ପରେ ସ୍ଥାନୀୟ ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ସହ ମନ୍ଦିରକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବଳୟରେ ରଖିବା ଲାଗି ସିଆଇଏସ୍‌ଏଫ୍ ଯବାନଙ୍କୁ ମୁତୟନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ଲାଲ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସିଆଇଏସ୍‌ଏଫ୍ ଅଧିକାରୀଙ୍କ ସମେତ ଏଏସ୍‌ଆଇ ସୁପରିନଟେଣ୍ଡେଣ୍ଟ ଏବଂ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ବୈଠକ ସଂପର୍କରେ ଏଏସ୍‌ଆଇ କର୍ତୃପକ୍ଷ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲେ ମଧ୍ୟ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସୂର୍ଯ୍ୟ ମନ୍ଦିରରେ ସିଆଇଏସ୍‌ଏଫ୍‌ ସୁରକ୍ଷା ବଳ ରହିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ଆଜି ଅପରାହ୍ନ ୨ଟାରେ ଏଡିଜି ଶ୍ରୀ ଲାଲ କୋଣାର୍କରେ ପହଞ୍ଚିଥିଲେ। ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ସେ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ତେବେ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିବା‌ ପ୍ରସଙ୍ଗରେ ଏଡିଜିଙ୍କୁ ଭୁଲ୍‌ ତଥ୍ୟ ଦିଆଯିବା ବେଳେ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ଆପତ୍ତି ଉଠାଇଥିଲେ। ମନ୍ଦିରରେ ପ୍ରତିଦିନ ଶହଶହ ‌ଟିକେଟ ଟୋକନ୍‌ ହେରଫେର ହେବା, ମନ୍ଦିରରେ ନିୟମିତ ଭାବେ ବର୍ଷାପାଣି ଜମି ରହିବା, ମନ୍ଦିରରେ ଗଛଲତା ଉଠିବା ଭଳି ଏକାଧିକ ଦିଗ ପ୍ରତି ଗଣମାଧ୍ୟମ ପ୍ରତିନିଧିମାନେ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ଉପସ୍ଥିତ ଜନୈକ ପଦାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନ୍ଦିର ଭିତରକୁ ପୂରାଇ ଦିଆଯିବ ନାହିଁ ବୋଲି କହିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏହାର ପ୍ରତିବାଦ କରିବା ସହ ଏ ସଂପର୍କରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ସଚିବ ଓ ଏଏସ୍‌ଆଇ ଡିଜିଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର