କୋଟିଆ ତନଖି ଫାଟକ ଉଭାନ

କୋରାପୁଟ : ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ ପରେ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ଚିହିଁକି ଉଠିଲେ। କହିଲେ, ଆମ ରାସ୍ତା ଦେଇ ସେମାନେ ଏତେ ବାଟ ପଳେଇଲେ। ଆଉ ନୁହେଁ। ଏଥର ଫାଟକ ଲଗାଇ ତାଙ୍କ ନାଟକ ବନ୍ଦ କରିଦେବୁ। ସତକୁ ସତ ତନଖି ଫାଟକ ବି ଲଗାଇଦେଲେ। ହେଲେ ଦିନେ ବି ଏହା କାମରେ ଆସିଲାନି। ଲୋକଦେଖାଣିଆ ଭାବେ ତନଖି ଫାଟକ ଲଗାଇ ଦିଆଗଲା ସିନା, ଏହାର ପରିଚାଳନା କେମିତି କରାଯିବ ତାହା ସ୍ଥିର ହୋଇ ନ ଥିଲା। ଆଇନ୍‌ ଅନୁସାରେ ଉପଯୁକ୍ତ ପ୍ରସ୍ତୁତି ମଧ୍ୟ କରାଯାଇ ନ ଥିଲା। ଫଳରେ ଏହି ଫାଟକ ଖୋଲିବା ଦିନଠାରୁ ହିଁ କାମରେ ଆସି ନ ଥିଲା। ଖୁଣ୍ଟରେ ବାଉଁଶ ବାନ୍ଧି ଫାଟକ କରି ଦିଆଯାଇଥିଲେ ମଧ୍ୟ ଫାଟକ ଟେକିବାକୁ କେହି ଲୋକ ନ ଥିଲେ। ତେଣୁ ଏହି ରାସ୍ତାରେ ଯାଉଥିବା ଗାଡି ଗୁଡିକ ଆଗଭଳି ବିନା ବାଧାରେ ଚାଲୁଥିଲା। ଧୀରେ ଧୀରେ ଫାଟକରେ ଲାଗିଥିବା ବାଉଁଶକୁ ଖୋଲି ନିଆଗଲା। ଆଉ ଏବେ ପୋତାଯାଇଥିବା ଖୁଣ୍ଟକୁ ବି କାଢି ନିଆଯାଇଛି। ସ୍ଥିତି ଏମିତି ଯେ, ଦୁଇ ସପ୍ତାହ ତଳେ ଏଇଠି ଫାଟକ ଉଦ୍‌ଘାଟନ ହୋଇଥିଲା କହିଲେ କେହି ବିଶ୍ୱାସ କରିବେ ନାହିଁ। କାରଣ ଫାଟକର କୌଣସି ଚିହ୍ନ ବି ଆଉ ନାହିଁ। ଫାଟକ ତିଆରି ପାଇଁ ଖୋଳାଯାଇଥିବା ଗାତ ଏ ଭିତରେ ଭର୍ତ୍ତି ହୋଇ ସାରିଥିଲାବେଳେ ଆଖପାଖରେ ଲୋକଙ୍କର ଦେଖା ନାହିଁ। ଓଡ଼ିଶା ଦେଇ ଆଗଭଳି ଆନ୍ଧ୍ରର ବାବୁଭାୟାମାନେ କୋଟିଆ ଯାଉଥିଲେ ମଧ୍ୟ ଏହାର ଟେର ପାଉନି ଓଡ଼ିଶା।

ସମ୍ବନ୍ଧିତ ଖବର