କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : ସନ୍ଦିଗ୍ଧ ଯୁବକର ଲାଇ ଡିଟେକ୍ସନ୍‌ ଟେଷ୍ଟ୍‍

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପୁଲିସ ଅଟକ ରଖିଥିବା ଜଣେ ସନ୍ଦିଗ୍ଧ ଯୁବକର ଲାଇ ଡିଟେକସନ୍‌ ଟେଷ୍ଟ କରାଇଛି। ଏଥିପାଇଁ କୋରାପୁଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦିନ ପ୍ରାୟ ସାଢ଼େ ୧୨ଟାବେଳେ ସନ୍ଦିଗ୍ଧ ଯୁବକକୁ ଧରି ଭୁବନେଶ୍ୱରରେ ଥିବା ଫୋରେନସିକ୍‌ ଲାବ୍ରୋଟାରିରେ ପହଞ୍ଚିଥିଲେ। ପରେ ତାକୁ ଘଟଣା ସମ୍ପର୍କରେ ପାଖାପାଖି ୨୫ରୁ ଅଧିକ ପ୍ରଶ୍ନ କରାଯାଇଥିଲା। ପଚରାଉଚରା ବେଳେ ତାଙ୍କ ହୃଦ୍‌ଗତି ଓ ନାଡି ଯାଞ୍ଚ କରାଯାଉଥିଲା। କେତେକ ପ୍ରଶ୍ନର ଉତ୍ତର ସେ ଭୁଲ ଦେଇଥିବା ଜଣାପଡ଼ିଛି। ଏହି ସମୟରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ମୁତାବକ, ଏହି ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ତଦନ୍ତ ଆଗେଇ ଚାଲିଛି। ଘଟଣାରେ ସଂପୃକ୍ତ ସନ୍ଦିଗ୍ଧ ଯୁବକମାନଙ୍କୁ ପୁଲିସ ପଚରା ଉଚରା କରୁଛି। ତେବେ ଜଣେ ଅଟକ ଥିବା ଯୁବକର କଥାବାର୍ତାରେ ତାଳମେଳ ରହୁନାହିଁ। ତେଣୁ ତାଙ୍କ ବୟାନର ସତ୍ୟତା ଜାଣିବା ପୁଲିସ ଲାଇ ଡିଟେକସନ୍‌ ଟେଷ୍ଟର ଆବଶ୍ୟକ କରୁଥିଲା। ପୁଲିସ ସେହି ସନ୍ଦିଗ୍ଧ ଯୁବକକୁ ଆଣି ଲାଇ ଡିଟେକସନ୍‌ ଟେଷ୍ଟ କରାଇଛି। ଘଟଣା ଦିନ ସନ୍ଦିଗ୍ଧ ଯୁବକ ଜଣକ କାହିଁକି ଜଙ୍ଗଲ ମଧ୍ୟକୁ ଆସିଥିଲେ? ସେ ଏକା ଥିଲେ ନା ତାଙ୍କ ସହିତ ଆଉ କିଏ କିଏ ଥିଲେ? କେଉଁ ପରିସ୍ଥିତିରେ ସେମାନେ ନାବାଳିକାଙ୍କ ସହିତ ଗଣ ଦୁଷ୍କର୍ମ କରିଥିଲେ। ଗଣ ଦୁଷ୍କର୍ମ ପରେ ସେମାନେ କିପରି ଘଟଣା ସ୍ଥଳରୁ ଖସି ଯାଇଥିଲେ। ଏହା ଏକ ଯୋଜନାବଦ୍ଧ କାଣ୍ଡ କି ? ଯଦି ହିଁ, କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟି ଗଲା ? ଏଭଳି ଅନେକ ପ୍ରଶ୍ନ ପଚରା ଯାଇଥିଲା ସଂପୃକ୍ତ ସନ୍ଦିଗ୍ଧ ଯୁବକଙ୍କୁ। ତେବେ ପ୍ରଶ୍ନବେଳେ ସନ୍ଦିଗ୍ଧ ଯୁବକଙ୍କ ହୃଦଗତି, ରକ୍ତଚାପ ଓ ନାଡିକୁ ଯାଞ୍ଚ କରାଯାଉଥିଲା।

ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ସନ୍ଦିଗ୍ଧ ଯୁବକ ଜଣକ ପୁଲିସର ଅନେକ ପ୍ରଶ୍ନର ଉତ୍ତର ଭୁଲ ଦେଇଛନ୍ତି। ତେଣୁ ପୁଲିସ ସନ୍ଦେହ କରୁଛି ସନ୍ଦିଗ୍ଧ ଯୁବକ ଓ ତାର କେତେକ ସହଯୋଗୀ ହିଁ ଅଭିଯୁକ୍ତ। ଏହା ଛଡ଼ା ଗଣଦୁଷ୍କର୍ମର ଶିକାର ହୋଇଥିବା, ନାବାଳିକା ଜଣକ ମଧ୍ୟ ବିଭିନ୍ନ ସମୟରେ ନିଜ ବୟାନ ମଧ୍ୟ ବଦଳାଉଛନ୍ତି। କେଉଁ ଜାଗାରେ ଦୁଷ୍କର୍ମ ଘଟିଲା, କେତେ ଜଣ ଥିଲେ, ସେମାନେ ପୁଲିସ ପୋଷାକରେ ଥିଲେ ନା ନାହିଁ କଥାରେ ତାଳମେଳ ରହୁନାହିଁ। ତେଣୁ ଆବଶ୍ୟକ ହେଲେ ପୀଡିତା ନାବାଳିକାର ମଧ୍ୟ ଲାଇ ଡିଟେକସନ୍‌ କରା ଯାଇ ପାରେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଡିଜି ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ, ପୁଲିସକୁ ଦୁଷ୍କର୍ମ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ ସୂଚନା ମିଳିଛି। ସେହି ସୂଚନାକୁ ଆଧାର କରି ପୁଲିସ ତଦନ୍ତ ଆଗେଇ ଚାଲିଛି। ଏଯାଏ ଘଟଣାରେ କୌଣସି ପୁଲିସ ଫୋର୍ସ କିମ୍ବା ମାଓବାଦୀଙ୍କ ସଂପୃକ୍ତିର ପ୍ରମାଣ ମିଳି ନାହିଁ। ଖୁବ ଶୀଘ୍ର ଅଭିଯୁକ୍ତ ଧରା ପଡ଼ିବ ବୋଲି ପୁଲିସ ଡିଜି କହିଛନ୍ତି।

ଏଠାରେ ପ୍ରକାଶଥାଉକି, ଘଟଣାକୁ ପୁଲିସ ପକ୍ଷରୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନିଆଯାଇଛି। ଏ ନେଇ ପଟାଙ୍ଗୀ ଥାନାରେ ୩୭୬/୩୭୭ ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯିବା ସହିତ ଏହାକୁ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦିଆଯାଇଛି। ରାଜ୍ୟ ମାନବାଧିକାର ଓ ମହିଳା କମିସନ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର