ଗୀତିକାର କୁସୁମ ଦାସଙ୍କ ପରଲୋକ

ଭୁବନେଶ୍ବର : ନବେ ଦଶକରେ ଅନେକ ଚର୍ଚ୍ଚିତ ଗୀତ ରଚନା କରି ଓଡ଼ିଆ ସଂଗୀତ ରାଇଜରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତିକାର କୁସୁମ ଦାସଙ୍କର ପରଲୋକ ହୋଇଯାଇଛି। ଗତ ୮ ତାରିଖରେ ଭୋର୍‌ ୫ଟାରେ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ବିଶେଷକରି ଶ୍ରୀକାନ୍ତ ଗୌତମଙ୍କ ନିର୍ଦେଶିତ ‘ହେ ବନ୍ଧୁ ବିଦାୟ’ କ୍ୟାସେଟ୍‌ର ଲୋକପ୍ରିୟ ଗୀତ ‘ଝୁମୁର ଝୁମୁର ପାଉଁଜିଲୋ… ଓ ‘ମନ ପକ୍ଷୀ ଝୁରେରେ…ଭଳି ଗୀତ ତାଙ୍କୁ ବେଶ୍‌ ଲୋକପ୍ରିୟ କରିଥିଲା।

ପିଲାଦିନୁ ହିଁ ଭଜନ ଲେଖିବା ତାଙ୍କର ନିଶା ପାଲଟି ଯାଇଥିଲା। ତାଙ୍କ ଲିଖିତ ଗୀତକୁ ନେଇ ହେ ବନ୍ଧୁ, ହେ ଗୋବିନ୍ଦ ଓ ଶ୍ରୀ ଛାମୁ ଭଳି ସଂଗୀତ ସିଡି ପ୍ରସ୍ତୁତ ହୋଇଥିଲା। ସେ ୨୦୦ରୁ ଅଧିକ ଗୀତ ରଚନା କରିଥିଲେ। ତାଙ୍କ ମରଶରୀରକୁ ଭୁବନେଶ୍ବର ଶିରିପୁରସ୍ଥିତ ବାସଭବନକୁ ଅଣାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ଇଂ ସତ୍ୟନାରାୟଣ ଦାସଙ୍କ ସମେତ ପୁଅ ଓ ୩ ଝିଅ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସଂଗୀତ ନିର୍ଦେଶକ ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ କହିଛନ୍ତି, କୁସୁମ ଦାସଙ୍କ ବିୟୋଗରେ ଓଡ଼ିଆ ସଂଗୀତ ରାଇଜ ଜଣେ ସ୍ବନାମଧନ୍ୟ ଗୀତିକାରଙ୍କୁ ହରାଇଲା। ଓଡ଼ିଆ ସଂଗୀତକୁ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ଶ୍ରୋତାଙ୍କ ହୃଦୟରେ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର