ବେଙ୍ଗାଲୁରୁରୁ ଫେରିଲା ଶ୍ରମିକଙ୍କ ମରଶରୀର

ଭୁବନେଶ୍ବର : ଓଡ଼ିଶା ମୋ ପରିବାର ଉଦ୍ୟମରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ସିକା ସନାତନଙ୍କ ମୃତଶରୀର ଭୁବନେଶ୍ବରରେ ପହଞ୍ଚିଛି। ଗତକାଲି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ମୋ ପରିବାର ସହ-ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଦସ୍ୟା ଡେଜାଲିନ୍‌ ମହାପାତ୍ର, ପରାମର୍ଶଦାତା ବିବେକାନନ୍ଦ ପଟ୍ଟନାୟକ, ସମାଜସେବୀ ସମୀର ପ୍ରଧାନ ପ୍ରମୁଖ ସ୍ବର୍ଗତଃ ସନାତନଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପରେ ମୃତ ଶରୀରକୁ ତାଙ୍କ ଗ୍ରାମ ପତଣ୍ଡାକୁ ଫେରାଇନେବା ପାଇଁ ଏକ ଆମ୍ବୁଲାନ୍‌ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ଏକ ଏଲ୍‌.ଇ.ଡି କାରଖାନାରେ କାମ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ପତଣ୍ଡା ଗ୍ରାମର ଓଡ଼ିଆ ଶ୍ରମିକ ସ୍ବର୍ଗତଃ ସନାତନଙ୍କର ଗତ ୪ ତାରିଖରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ମିଳିବା ପରେ ଶୋକସନ୍ତପ୍ତ ପରିବାର ଲୋକେ ତାଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିବାକୁ ଚାହିଁଥିଲେ। କିନ୍ତୁ ସେଥିପାଇଁ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହୋଇଥିଲା। ଏହି ଖବର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଖରେ ପହଞ୍ଚିବା ପରେ ସେ ତତ୍‌କ୍ଷଣାତ୍‌ ଏହାକୁ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ପରେ ସମସ୍ତଙ୍କ ମିଳିତ ଉଦ୍ୟମରେ ସ୍ବର୍ଗତଃ ସନାତନଙ୍କ ମରଶରୀରକୁ ବିମାନଯୋଗେ ଭୁବନେଶ୍ବର ଅଣାଯାଇଥିଲା। ଏଥିପାଇଁ ସ୍ବର୍ଗତଃ ସନାତନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର