ଚାଲୁଚାଲୁ ଟଳି ପଡ଼ିଲେ ପ୍ରବାସୀ ଓଡ଼ିଆ, କୋଲକାତାରୁ କାକଟପୁର ଫେରୁଥିଲେ

ଜଳେଶ୍ବର : ଲକ୍‌ଡାଉନ୍‌ ତାଙ୍କ ଫେରିବା ବିଳମ୍ବ କରିଦେଇଥିଲା। ୬ ମାସ ପରେ ସେ ଘରକୁ ଫେରୁଥିଲେ। ହେଲେ, ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟି ପଡ଼ିଲେ। ଏହାପରେ ଟଳିପଡ଼ିଲେ। କୋଲକାତାରୁ ଘରକୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ଏହିଭଳି ସ୍ପର୍ଶ କରିଛି ମୃତ୍ୟୁ। ମୃତକ ହେଲେ, ଧୁବେଇ ଚରଣ ମହାନ୍ତି (୫୬)। ପୁରୀ ଜିଲ୍ଲା କାକଟପୁର ଥାନା ଟିକରପଡା ଗ୍ରାମରେ ତାଙ୍କ ଘର। ଧୁବେଇ କୋଲକାତାରେ ଡାଲମିଆ କମ୍ପାନିରେ ମାସକୁ ୧୩ ହଜାର ଟଙ୍କା ଦରମାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ୬ ମାସ ତଳେ ଶେଷଥର ପାଇଁ ଘରକୁ ଫେରିଥିଲେ। ମାର୍ଚ୍ଚ ମାସରେ ପୁଣି ଘରକୁ ଆସିବେ ବୋଲି ପରିବାର ଲୋକଙ୍କୁ କହିଥିଲେ ଧୁବେଇ। ହେଲେ, ଲକ୍‌ଡାଉନ୍ ଯୋଗୁଁ ଆଉ କୋଲକାତାରୁ ଆସି ପାରିନଥିଲେ। ପାଖପାଖି ଦେଢ଼ମାସ କାଳ ସେଠାରେ ଫସି ରହିବା ପରେ ଆଜି ବସ୍ ଯୋଗେ ଫେରୁଛନ୍ତି ବୋଲି ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ସାଢେ ୧୧ଟା ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକଠାରୁ ଶହେ ମିଟର ଦୂରରେ ସେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଝୁଣ୍ଟିପଡ଼ି ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତାରୁ ଉଦ୍ଧାର କରିବା ସହ ପାଖରେ ଥିବା ଏକ ଗଛମୂଳକୁ ଆଣି ପାଣି ଛାଟିଥିଲେ। ହେଲେ, ସବୁ ପ୍ରୟାସ ସତ୍ତ୍ବେ ତାଙ୍କର ଆଉ ଚେତା ଫେରିନଥିଲା।

ଖବର ପାଇ ଜଳେଶ୍ଵର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଧନେଶ୍ଵର ସାହୁ ଏବଂ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରୁ ଧୁବେଇଙ୍କୁ ଜିକେ ଭଟ୍ଟର ହସପିଟାଲକୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧୋବେଇଙ୍କ ନିକଟରୁ ମୋବାଇଲ, ଭୋଟର କାର୍ଡ, ଆଧାର କାର୍ଡ, ପାନ୍‌କାର୍ଡ, ଏଟିଏମ୍ କାର୍ଡ, କିଛି ଟଙ୍କା ସହ ଦୁଇଟି ବ୍ୟାଗ୍‌ ମିଳିଛି। ତାଙ୍କ ମୋବାଇଲରୁ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ସେମାନେ ଜଳେଶ୍ଵର ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଧୁବେଇଙ୍କର ତିନି ଝିଅ, ଜଣେ ପୁଅ ଓ ପତ୍ନୀ ରହିଛନ୍ତି। ଦୁଇ ଝିଅ ବିବାହ କରିଥିବା ବେଳେ ସାନଝିଅର ବିବାହ ପାଇଁ ପାତ୍ର ଖୋଜା ଚାଲିଥିଲା। ଏକମାତ୍ର ପୁଅ ଚଳିତବର୍ଷ ବିଏଡ୍‌ ପରୀକ୍ଷା ଦେଇଥିଲେ।

ଅନ୍ୟପକ୍ଷରେ, , ଧୁବେଇଙ୍କ ସହ କେହି ନଥିବାରୁ ସେ କୋଉଠୁ ଚାଲିଚାଲି ଆସୁଥିଲେ ସେ ସଂପର୍କରେ କିଛି ଜଣାପଡ଼ିନାହିଁ। ପରିବାର ଲୋକଙ୍କ ସୂଚନା ମୁତାବକ ସେ ଆଜି ସକାଳେ ବସ ଯୋଗେ ଫେରୁଥିଲେ। ପଶ୍ଚିମବଙ୍ଗରୁ ଆସୁଥିବା ବଡ଼ ଗାଡ଼ିଗୁଡ଼ିକ ଓଡ଼ିଶା ସୀମା ଦାନ୍ତୁନଠାରେ ରହୁଥିବାବେଳେ ଛୋଟ ଗାଡ଼ିଗୁଡ଼ିକ ସୁନାକଣିଆ ପର୍ଯ୍ୟନ୍ତ ଆସିଥାନ୍ତି। ଦାନ୍ତୁନରୁ ଜଳେଶ୍ବର ଲକ୍ଷ୍ମଣନାଥ ତନଖି ଫାଟକର ଦୂରତା ୧୫ କିମି ହୋଇଥିବାବେଳେ ସୁନାକଣିଆ ଏକ କିଲୋମିଟର। ଧୁବେଇଙ୍କ ସହ ଆଉ କେହି ନଥିବାରୁ ସେ କୋଉଠୁ ଆସୁଥିଲେ ତାହା ଅନ୍ଧାରରେ ରହିଛି।

ସମ୍ବନ୍ଧିତ ଖବର