ସଂଗ୍ରହାଳୟ, ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଭାଗ୍ୟ ଫିଟୁନି; ସମନ୍ୱୟର ଅଭାବ ବାଟ ଓଗାଳୁଛି

ଭୁବନେଶ୍ବର : ୨୦୨୦ ସେପ୍ଟେମ୍ବର ୨ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଐତିହ୍ୟ କ୍ୟାବିନେଟ୍‌ର ଦ୍ବିତୀୟ ବୈଠକ। ଉପସ୍ଥିତ ଥିଲେ ଅର୍ଥ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଥିବା ୭ ମନ୍ତ୍ରୀ। ବିଭାଗୀୟ ସଚିବମାନେ ବି ଥଲେ। କ୍ୟାବିନେଟ୍ ସଚିବ ଭାବେ ମୁଖ୍ୟ ଶାସନ ସଚିବ ବୈଠକରେ ସାମିଲ ହୋଇଥିଲେ। ନିଷ୍ପତ୍ତି ହେଲା, ସଂସ୍କୃତି ବିଭାଗ ଅଧୀନରେ ଦୁଇଟି ନିର୍ଦ୍ଦେଶାଳୟ ଖୋଲିବ; ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଓ ପ୍ରତ୍ବତତ୍ତ୍ବ ନିର୍ଦ୍ଦେଶାଳୟ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ସଂସ୍କୃତି ବିଭାଗର। ଅନୁମୋଦନ ଦେବା ଦାୟିତ୍ବ ଅର୍ଥ ବିଭାଗର। କିନ୍ତୁ ଏହି ଦୁଇଟି ବିଭାଗ ମଧ୍ୟରେ ସମନ୍ବୟର ଅଭାବରୁ ୨୦ ମାସ ହେଲା ଐତିହ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉ ନାହିଁ। କେବେ ହେବ, ତାହାର ଉତ୍ତର ବି କାହା ପାଖରେ ନାହିଁ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀନରେ ଏହାର ୧୫ଟି ଗୁରୁତ୍ବପୂର୍ଣ୍ଣ ଉପବିଭାଗ ଓ ସମସ୍ତ ଜିଲ୍ଲାର ଜିଲ୍ଲା ସଂଗ୍ରହାଳୟ ପରିଚାଳିତ ହେଉଛି। ଏଥି ସହ ଓଡ଼ିଶାର ବରପୁତ୍ର ଓ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଅନେକ ଛୋଟ ବଡ଼ ସଂଗ୍ରହାଳୟ ମଧ୍ୟ ନିୟମିତ ଭାବେ ଖୋଲାଯାଉଛି। ରାଜ୍ୟ ସଂଗ୍ରହାଳୟରେ ଥିବା ପ୍ରାଚୀନ ସାମଗ୍ରୀ ରାଜ୍ୟର ଗର୍ବ ଓ ଗୌରବ। ଏଗୁଡ଼ିକର ରକ୍ଷଣାବେକ୍ଷଣା ସହ ପ୍ରାଚୀନ ପୋଥିଗୁଡ଼ିକର ଡିଜିଟାଇଜେସନ୍, ସଂରକ୍ଷଣ, ପ୍ରକାଶନ ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ଏଥିସହ ରାଜ୍ୟ ସଂଗ୍ରହାଳୟ ଅଧୀନରେ କଟକର ଆନନ୍ଦ ଭବନ ସଂଗ୍ରହାଳୟ ଓ କେନ୍ଦୁବିଲ୍ବସ୍ଥିତ ଜୟଦେବ ସଂଗ୍ରହାଳୟର ବି ପରିଚାଳନା କରାଯାଉଛି। ଏସବୁ କାର୍ଯ୍ୟକୁ ତଦାରଖ ପାଇଁ ବିଭାଗରେ ଜଣେ ମାତ୍ର ନିର୍ଦ୍ଦେଶକ ଅଛନ୍ତି। ଯାହାଙ୍କ ପକ୍ଷେ ନିଜ ମୂଳ ବିଭାଗର ଗୁରୁଦାୟିତ୍ବ ସହ ଏସବୁ ସଂଗ୍ରହାଳୟର ପରିଚାଳନା ସମ୍ଭବ ହେଉନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଗ୍ରହାଳୟ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ ବୋଲି ଐତିହ୍ୟ କ୍ୟାବିନନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଏହାଦ୍ବାରା ବ୍ୟବସ୍ଥିତ ଢଙ୍ଗରେ ଏସବୁର ପରିଚାଳନା ସହ ଅଧିକ କ’ଣ କରାଯାଇପାରିବ ଚିନ୍ତା କରାଯାଇପାରିବ।

ସଂସ୍କୃତି ବିଭାଗର ପ୍ରସ୍ତାବ ଉପରେ ଅର୍ଥ ବିଭାଗର ଆପତ୍ତି
ପାଠାଗାର ନିର୍ଦ୍ଦେଶାଳୟ ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇନି

ସେହିଭଳି ଐତିହ୍ୟ ଓ କୀର୍ତିରାଜି, ପ୍ରାଚୀନ ମନ୍ଦିର, ସ୍ତୁପ, ଭାସ୍କର୍ଯ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ଓ ଅନ୍ୟ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା କରାଯାଉଛି। ବିଭାଗର ଜଣେ ମାତ୍ର ନିର୍ଦ୍ଦେଶକ ଥିବାରୁ ଏତେ ସବୁ ଉପବିଭାଗକୁ ସମୟ ଓ ନ୍ୟାୟ ଦେବା କଷ୍ଟକର ହୋଇପଡ଼ୁଥିବାରୁ ପ୍ରତ୍ନତତ୍ତ୍ବ ବିଭାଗର ସୁପରିଚାଳନା ଓ ଉନ୍ନତୀକରଣ ପାଇଁ ଏକ ‘ପ୍ରତ୍ନତତ୍ବ ନିର୍ଦ୍ଦେଶାଳୟ’ ଗଠନ ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଥିଲା।

ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ପରେ ସଂସ୍କୃତି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏ ସଂକ୍ରାନ୍ତୀୟ ଆବଶ୍ୟକ ଫାଇଲ୍ ପ୍ରସ୍ତୁତ କରି ଅର୍ଥ ବିଭାଗର ଅନୁମୋଦନ ପାଇଁ ପଠାଯାଇଥିଲା। କିନ୍ତୁ ଅର୍ଥ ବିଭାଗ ଏହି ନିର୍ଦ୍ଦେଶାଳୟ ଗଠନର ବିଭିନ୍ନ ଦିଗକୁ ନେଇ ଆପତ୍ତି ଉଠାଇଛି। ଏକାଧିକ ପ୍ରସଙ୍ଗରେ ସଂସ୍କୃତି ବିଭାଗ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛି। ଅର୍ଥ ବିଭାଗ ପକ୍ଷରୁ ଏତେ ମାତ୍ରାରେ ସ୍ପଷ୍ଟୀକରଣ ମଗାଯାଇଛି ଯେ ସଂସ୍କୃତି ବିଭାଗ କିପରି ଉତ୍ତର ଦେବ, ତାହାର ବାଟ ପାଉନି। ଐତିହ୍ୟ କ୍ୟାବିନେଟ୍‌ରେ ଗୋଟିଏ ନିଷ୍ପତ୍ତି ନିଆଗଲା ପରେ ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ତାହାକୁ କାର୍ଯ୍ୟକାରୀ କରିବାରେ ଏତେ ବିଳମ୍ବ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଧରା ପକାଇ ଦେଉଛି।

ରାଜ୍ୟର ବୌଦ୍ଧିକ ସମ୍ପତ୍ତି ତଥା ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଉଭୟ ସଂଗ୍ରହାଳୟ ଓ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଗଠନ ଏକ ବଡ଼ ପ୍ରଶାସନିକ ପଦକ୍ଷେପ ଥିଲା। ବିଭିନ୍ନ ମହଲରେ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିଲା। ଗଣମାଧ୍ୟମରେ ତାହା ଖବରର ଶିରୋନାମା ପାଲଟିଥିଲା। କିନ୍ତୁ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କେବଳ ଏହି ଦୁଇଟି ନିର୍ଦ୍ଦେଶାଳୟ ନୁହେଁ, ୨୦୧୮ ଜୁଲାଇରେ ଐତିହ୍ୟ କ୍ୟାବିନେଟ୍‌ରେ ‘ସର୍ବସାଧାରଣ ପାଠାଗାର ନିର୍ଦ୍ଦେଶାଳୟ’ର ଗଠନ ପାଇଁ ହୋଇଥିବା ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇପାରୁନି। ଏପରିକି ଚାରି ବର୍ଷ ହେଲା ଏ ନେଇ ସର୍ବନିମ୍ନ ପ୍ରକ୍ରିୟା ବି ଆରମ୍ଭ ହୋଇ ନାହିଁ।

ସମ୍ବନ୍ଧିତ ଖବର