ଧାନ ବିକି ନ ପାରି ତାତିଲେ ଚାଷୀ, ଲ୍ୟାମ୍ପ୍‌ସରେ କର୍ମଚାରୀଙ୍କୁ ତାଲା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଲ୍ୟାମ୍ପ୍‌ରେ ଚାଷୀ ଧାନ ବିକି ନ ପାରିବାରୁ ଅସନ୍ତୋଷ ଦେଖାଦେଇଥିଲା। ଏପରି ସମୟରେ ଗତକାଲି ଚାଷୀମାନେ ତାତିଥିଲେ। ସେମାନେ କର୍ମଚାରୀଙ୍କୁ ପୂରାଇ ଲ୍ୟାମ୍ପ୍‌ରେ ତାଲା ପକାଇ ଦେଇଥିଲେ। ଖବର ପାଇବା ପରେ ମହୁଲଡ଼ିହା ଥାନା ଅଧିକାରିଣୀ ରାତିରେ ପହଂଚି ତାଲା ଖୋଲିବା ସହ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି। ତେବେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନା ଥାଉକି ମହୁଲଡିହା ଲ୍ୟାମ୍ପ୍‌ରେ ୧୨୭୬ ଜଣ ପଞ୍ଜୀକୃତ ଚାଷୀ ଅଛନ୍ତି। ୮୮୯ ଜଣ ଚାଷୀ ୨୭୨୦୦ କୁଇଁଣ୍ଟାଲ୍‌ ଧାନ ବିକିଛନ୍ତି। ମାତ୍ର ଅନ୍ୟ ଚାଷୀମାନେ ମାସ ମାସ ଧରି ଅପେକ୍ଷା କରି ମଧ୍ୟ ଧାନ ବିକି ପାରିନାହାନ୍ତି। ଗତ ୭ ତାରିଖ ଦିନ ୨୭ ଜଣ ଚାଷୀଙ୍କ, ୮ ତାରିଖରେ ୨୪ ଜଣ ଚାଷୀଙ୍କ ଓ ଆଜି ୨୧ ଜଣ ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଛି। ଅନ୍ୟପଟେ ବେପାରୀଙ୍କୁ ଅଧିକ ଧାନ ବିକିବା ପାଇଁ ସୁଯୋଗ ଦିଆଯାଉଥିବା ବେଳେ ପ୍ରକୃତ ଚାଷୀ ଧାନ ବିକି ପାରୁ ନାହାନ୍ତି। କୁଇଁଣ୍ଟାଲ୍ ପିଛା ୮ରୁ ୯ କେଜି ଧାନ କଟା ମଧ୍ୟ ଯାଉଛି। ସେହିପରି ବୁରା ବି ଯୋଗା ଯାଉ ନାହିଁ।

ସମ୍ବନ୍ଧିତ ଖବର