ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାର ଖୁଲାସା ହେଉ: ସପ୍ତଗିରି

ଜୟପୁର : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡି ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ। ବିଭିନ୍ନ ପ୍ରକଳ୍ପ ଓ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। କିନ୍ତୁ ଏହି ଆଲୋଚନାରେ କ’ଣ ସବୁ ପ୍ରସଙ୍ଗ ସ୍ଥାନ ପାଇଲା, ତାହାର ବିସ୍ତୃତ ତଥା ସ୍ପଷ୍ଟ ବିବରଣୀ ଦିଆଯାଇ ନାହିଁ। ତେଣୁ ପ୍ରେସ୍‌ ବିବୃତ୍ତି ପ୍ରଦାନ କରି ଖୁଲାସା କରିବା ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦାବି କରିଛନ୍ତି।

ସପ୍ତଗିରି କହିଛନ୍ତି, ଓଡ଼ିଶାର କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଦାଦାଗିରି କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେଠାରେ ନିର୍ବାଚନ କରିବା ସହ ସହ ସେଠାକାର ଲୋକଙ୍କୁ ଭତ୍ତା ଓ ଆଧାର କାର୍ଡ ପ୍ରଦାନ କରି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। କେବଳ ଯେ କୋଟିଆ ନୁହେଁ ଗଜପତି ଜିଲ୍ଲାରେ ମଧ୍ୟ ସେହି ଏକା ସମସ୍ୟା ଦେଖିବାକୁ ମିଳିଛି। ଏଥିସହ ନେରେଡି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍ ପ୍ରକଳ୍ପକୁ ନେଇ ଆନ୍ତଃରାଜ୍ୟ ବିବାଦ ରହିଛି। ଏହାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ରହିବା ନିହାତି ଆବଶ୍ୟକ। ଏ ନେଇ ଆମେ ସଂସଦରେ ଦାବି ଉପସ୍ଥାପନା କରିବୁ ବୋଲି କହିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ହୋଇଥିବା ଆଲୋଚନା ବିଷୟରେ ଲୋକଙ୍କୁ ଜଣାଇବା ନିହାତି ଦରକାର ରହିଛି। କାହିଁକି ନା କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ।

ସମ୍ବନ୍ଧିତ ଖବର