ଆଇନ ପରିସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ: ଅପରାଜିତା

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ସପକ୍ଷରେ ଯିବା ପରେ ପୁଣି ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରକାଶ କରିଛନ୍ତି ସେଥିରେ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ରହିଛି। ଏଥିରେ ସେ ସରକାରଙ୍କ ପାଇଁ ସୀମା ନିର୍ଦ୍ଧାରଣ କରିଦେଇଛନ୍ତି। ସରକାର କାମ କରିବେ, କିନ୍ତୁ ଆଇନ ମାନିକି କରିବେ। ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ)କୁ ସାଙ୍ଗରେ ନେଇ ବା ତାଙ୍କର ସ୍ବୀକୃତି ନେଇ କାମ କରିବେ। ନିଷିଦ୍ଧାଞ୍ଚଳରେ ସରକାର କୌଣସି କାମ କରିପାରିବେ ନାହିଁ। ଯଦି କରିବେ ତେ‌ବେ କେବଳ ପର୍ଯ୍ୟଟକ ବା ଭକ୍ତଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାର୍ଯ୍ୟ କରିବେ। ଏଠାରେ ବଡ଼ଗାତ ଖୋଳି ପାରିବେନି। ସରକାର ଭୁଲ କରିଥିଲେ ବୋଲି ମାନି ସାରିଛନ୍ତି। ଖୋଳିଥିବା ଗାତକୁ ପୋତି ନିଷିଦ୍ଧାଞ୍ଚଳ ବାହାରେ ଗାତ ଖୋଳିବାକୁ ଘୋଷଣା କରିସାରିଛନ୍ତି। ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ମନ୍ଦିରର ସୁରକ୍ଷା ପାଇଁ କରାଯାଇଛି। ଯେଉଁମାନେ ଏହି ଅଭିଯାନ ସହ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବିଜୟ ହୋଇଛି। ଆମେ କେବେ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିନଥିଲୁ। ଆମେ କେବଳ ସରକାରଙ୍କ ବେଆଇନ କାର୍ଯ୍ୟକୁ ବିରୋଧ କରିଥିଲୁ। ଯାହା ଏବେ ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଲେ। ଆଗକୁ ଯେବେ ବି ସରକାର ଆଇନ ଅମାନ୍ୟ କରିବେ ବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅବମାନନା କରିବେ ତେବେ ବିରୋଧ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏତିକିବେଳେ ଦୁଇଜଣ ଆବେଦନକାରୀ ସୁପ୍ରିମକୋର୍ଟ କାହିଁକି ଗଲେ ତାହା ବୁଝା ପଡ଼ୁନାହିଁ। ଏମାନେ ହାଇକୋର୍ଟର ସେହି ମାମଲାରେ ପକ୍ଷଭୁକ୍ତ ମଧ୍ୟ ନୁହନ୍ତି। ଏହା ପଛରେ କଣ ରହସ୍ୟ ରହିଛି ତାହା ଏବେ ବି ଅସ୍ପଷ୍ଟ। ତ’ ସହ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକୁ ନେଇ ପୁରୁଣା ଅଭିଯୋଗ ଦୋହରାଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ବାଧୀନ ଭାବରେ ଦାୟିତ୍ବ ନେବାକୁ କୋର୍ଟ କହିଛନ୍ତି। କିନ୍ତୁ ଏଠାରେ ଜଣେ ଅଧିକାରୀ ତିନିଟି ଦାୟିତ୍ବରେ ଜଣେ ଅଧିକାରୀ ରହିଛନ୍ତି। ଏଣୁ ଦୁର୍ନୀତି ପାଇଁ ବାଟ ଫିଟିଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର