ପେଟ ପାଇଁ ବାଜିରେ ଲାଗିଛି ଜୀବନ

ଜମ୍ମୁରେ ଅଛନ୍ତି ଶହଶହ ଓଡ଼ିଆ ଶ୍ରମିକ, ଜୀବନ ପ୍ରତି ବିପଦ ଅଛି; ତଥାପି ଛାଡ଼ି ଯିବାକୁ ଚାହୁନାହାନ୍ତି

ଭୁବନେଶ୍ୱର : କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ଅସ୍ଥିରତା ସୃଷ୍ଟି ପାଇଁ ବାହାର ରାଜ୍ୟର ନିରୀହ ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଗତ କିଛିଦିନ ଭିତରେ ଅନେକ ପ୍ରବାସୀ ଶ୍ରମିକଙ୍କ ଜୀବନ ଗଲାଣି। ଏଭଳି ଆତଙ୍କର ବାତାବରଣ ଯୋଗୁଁ ଅନେକ ପ୍ରବାସୀ ଶ୍ରମିକ କାଶ୍ମୀର ଛାଡ଼ି ଘରମୁହାଁ ହେଉଛନ୍ତି। ମାତ୍ର କାଶ୍ମୀରଠାରୁ ପ୍ରାୟ ୨୦୦ କିମି ଦୂରରେ ଜମ୍ମୁରେ ରହି ବିଭିନ୍ନ କାର୍ଯ୍ୟ କରୁଥିବା ଶହଶହ ଓଡ଼ିଆ ଶ୍ରମିକ ପେଟ ପାଇଁ ଜୀବନକୁ ବାଜି ଲଗାଇ ପଡ଼ି ରହିଛନ୍ତି। ଜୀବନ ହରାଇବାର ଭୟ ଥିଲେ ବି ରୋଜଗାର ହରାଇବାର ଭୟରେ ସେମାନେ ଜମ୍ମୁ ଛାଡ଼ି ଓଡ଼ିଶା ଫେରିବାକୁ ଚାହୁ ନଥିବା ଜଣାପଡ଼ିଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଜମ୍ମୁରେ ଏବେ ବ୍ରହ୍ମପୁର, ନୟାଗଡ଼, ପୁରୀ ସମେତ ବିଭିନ୍ନ ଜିଲ୍ଲାର ଶହଶହ ଓଡ଼ିଆ କାର୍ଯ୍ୟ କରୁଛନ୍ତି। କିଏ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଛି ତ କିଏ ପରିବା ଓ ଫଳ ଦୋକାନ କରିଛନ୍ତି। ଅନେକ ଓଡ଼ିଆ ପାଇପ୍ ମିସ୍ତ୍ରି ଓ ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିବାବେଳେ ଆଉ କିଛି ହୋଟେଲ କର୍ମଚାରୀ, କମ୍ପାନି କର୍ମଚାରୀ ସମେତ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ତେବେ କାଶ୍ମୀରରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି, ତାହା ଜଣାପଡ଼ି ନାହିଁ କି ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ। ଅନ୍ୟଦିଗରେ ରାଜ୍ୟର କେତେ ଶ୍ରମିକ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଛନ୍ତି ଏ ସଂକ୍ରାନ୍ତରେ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଯାଇ ଜମ୍ମୁର ଶାସ୍ତ୍ରୀନଗରରେ ସ୍ଥିତ ଏକ ମିଠା କମ୍ପାନିରେ କାର୍ଯ୍ୟ କରୁଥିବା କରୁଥିବା ରବି ଗୌଡ଼(୪୦) କହନ୍ତି, ୨୩ ବର୍ଷ ମଧ୍ୟରେ ଜମ୍ମୁରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେମାନେ ପ୍ରାୟ ୨୫ ଜଣ ଓଡ଼ିଆ ଶ୍ରମିକ ଏକାଠି ରହୁଛନ୍ତି। ତାଙ୍କ କାର୍ଯ୍ୟ କ୍ଷେତ୍ରଠାରୁ ୨୦୦ କିଲୋମିଟର ଦୂରରେ ଗୁଳିମାଡ଼ ହେଉଛି। ଜୀବନ ଯିବାର ଥିଲେ ତ ଓଡ଼ିଶାରେ ମଧ୍ୟ ଯିବ, ତେଣୁ ଏଠାରେ ଜୀବନକୁ ବାଜି ଲଗାଇ ରହିଛନ୍ତି। ତେବେ କୌଣସି କାରଣ ପାଇଁ ଶ୍ରୀନଗର ଯିବାକୁ ହେଲେ ଭୟ ଲାଗେ। ଶ୍ରୀନଗର ସ୍ଥିତ ବିଭିନ୍ନ ଘରକୁ ଉଗ୍ରବାଦୀ ପଶି ଲୋକଙ୍କୁ ଗୁଳିମାଡ଼ କରୁଥିବାର ଖବର ପାଉଥିଲେ ମଧ୍ୟ ନିଜର ବ୍ୟକ୍ତିଗତ ଅନୁଭବ କିଛି ନାହିଁ। କାରଗିଲ ଯୁଦ୍ଧ ସମୟରେ ବି ସେ ଏଠି ରହି କାର୍ଯ୍ୟ କରିଥିଲେ। ଅବଶ୍ୟ ପୂର୍ବରୁ ଥରେ ଅପ୍ରୀତିକର ସ୍ଥିତି ହେବାରୁ ସରକାର ଛାଡ଼ି ଚାଲି ଯିବାକୁ କହିଥିଲେ। ରବି କହନ୍ତି, ଗାଁରେ ରୋଜଗାର ମିଳିଲେ ସିନା ଯାଆନ୍ତେ। ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଘରକୁ ଚାଲି ଆସିଥିଲେ। ରୋଜଗାର ନ ମିଳିବାରୁ ଦେଢ ବର୍ଷ ପରେ ପୁଣି କାର୍ଯ୍ୟ କ୍ଷେତ୍ରକୁ ଫେରି ଆସିଥିଲେ। ସେହିପରି ପୁରୀ ଜିଲ୍ଲାର ଜଗନ୍ନାଥପ୍ରସାଦରୁ ଯାଇ ଜମ୍ମୁର ସଂଜୟନଗରରେ ରହୁଥିବା ଭାସ୍କର କହନ୍ତି, ସେ ବିବାହ କାର୍ଡ ପ୍ରସ୍ତୁତ କମ୍ପାନିରେ ୩ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଜଣେ ଭାଇଙ୍କ ଜରିଆରେ ଏଠାରେ ରହି ରୋଜଗାର କରୁଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟ ଶ୍ରମ କମିସନରଙ୍କ ପ୍ରତିକ୍ରିୟା ନେବାକୁ ଚାହିବାରୁ ସେ କହିଛନ୍ତି, କାଶ୍ମୀରରେ କୌଣସି ଓଡ଼ିଆ ପ୍ରବାସୀ ଶ୍ରମିକ ବିପନ୍ନ ଥିବାର ସୂଚନା ମିଳି ନାହିଁ। ଏ ସଂକ୍ରାନ୍ତରେ ସେଠାକାର ପ୍ରଶାସନ ସହିତ ମଧ୍ୟ ଆଲୋଚନା ହୋଇ ନାହିଁ।

ସମ୍ବନ୍ଧିତ ଖବର