ପ୍ରଦୀପଙ୍କ ପତିଆରା କ୍ଷୁଣ୍ଣ ପରେ ପ୍ରମାଦ ଗଣିଲେଣି ମଦ ମାଫିଆ

ମଦ ଦୋକାନୀଙ୍କ ସହ ସଂପର୍କକୁ ପ୍ରଦୀପଙ୍କ ଖଣ୍ଡନ

ବ୍ରହ୍ମପୁର/ଗୋଳନ୍ଥାରା : ଗଞ୍ଜାମରେ ଚାଲିଥିବା ବେଆଇନ ମଦ କାରବାର କାହାକୁ ଅଛପା ନାହିଁ। ଏହି କାରବାର ପଛରେ ରହି ଆସିଛି ରାଜନୈତିକ ପ୍ରୋତ୍ସାହନ। ଜିଲ୍ଲାର ଦୁଇ ଜଣ ବିଧାୟକଙ୍କୁ ହାତବାରିସି କରି ନିଜର ସାମ୍ରାଜ୍ୟ ଚଳାଇଥିବା ଜଣେ ମଦମାଫିଆ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରଦୀପଙ୍କ ପତିଆରା କ୍ଷୁଣ୍ଣ ପରେ ମଦମାଫିଆ ପ୍ରମାଦ ଗଣୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଗୋପାଳପୁର ନିର୍ବାଚନମଣ୍ତଳୀରେ ରାଜନେତା-ମଦ ମାଫିଆ ଲିଙ୍କ୍‌ର ତଦନ୍ତ ହେଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ଗଞ୍ଜାମ ଜିଲ୍ଲାରେ ୨୦୦୬ ମସିହା ଗୋଳାବନ୍ଧ ମଦମୃତ୍ୟୁ ଘଟଣାକୁ ଏ ଯାଏ ଗୋପାଳପୁର ନିର୍ବାଚନମଣ୍ତଳୀବାସୀ ଭୁଲି ନାହାନ୍ତି। ବିଷାକ୍ତ ମଦ ପିଇ ୯ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ସରକାର ଚେଇଁ ଉଠିଥିଲେ। କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିଥିଲେ। କିନ୍ତୁ ଏହି ଘଟଣା ଗୋପାଳପୁର ନିର୍ବାଚନମଣ୍ତଳୀ ଇଲାକାରେ ମଦ ବ୍ୟବସାୟ ଉପରେ ସରକାର କଡ଼ା ନଜର ରଖିବେ ବୋଲି କୁହାଯାଉଥିଲା। କିନ୍ତୁ ପରିସ୍ଥିତି ଓଲଟା ହୋଇଛି। ଗଞ୍ଜାମ ଜିଲ୍ଲା ଓ ଗୋପାଳପୁର ନିର୍ବାଚନମଣ୍ତଳୀର ମଦ ମାଫିଆ ସକ୍ରିୟ ହେବା ସହ ମଦ କାରବାର ବୃଦ୍ଧି ପାଇଛି। ଏପରିକି ଲକ୍‌ଡାଉନ୍‌ ଭଳି ସମୟରେ ଜିଲ୍ଲାରେ ବେଆଇନ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଇଛି। ଗୋଳାବନ୍ଧ ମଦ ମୃତ୍ୟୁ ଘଟଣାରେ ଚର୍ଚ୍ଚା ପରିସରକୁ ଆସିଥିବା ମଦ ମାଫିଆ ପରବର୍ତ୍ତୀ ସମୟରେ ଜିଲ୍ଲାର ଦୁଇଜଣ ନେତାଙ୍କ ରିମୋଟ୍ କଣ୍ଟ୍ରୋଲରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ବାଚନ ବି ପରିଚାଳନା ଏହି ମଦ ମାଫିଆ ଜଣକ କରିଥିବା ତାଙ୍କ ବିରୋଧୀମାନେ କହି ଆସୁଥିଲେ। ଏହି ମଦ ମାଫିଆଙ୍କ ଜିଲ୍ଲାରେ ୯ଟି ଦୋକାନ ରହିଥିଲା। ବିଧାୟକଙ୍କ ପତିଆରା କ୍ଷୁଣ୍ଣ ପରେ ମଦ ମାଫିଆଙ୍କ ହାତରୁ ୭ଟି ଦୋକାନ ଖସିଯାଇଛି। ଭାଟକୁମରଡ଼ା, ପୁରୁଷୋତ୍ତମପୁର, ପ୍ରତାପୁର, ଶିକୁଳା, କେରାଣ୍ତିତୋଳା ଓ ବିକ୍ରମପୁର ଆଦି ଅଞ୍ଚଳରେ ଥିବା ୭ଟି ମଦ ଦୋକାନ ତାଙ୍କ ହାତରୁ ଖସି ଯାଇଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହେବା ପରେ ଉକ୍ତ ମଦ ମାଫିଆଙ୍କ ହୃତ୍‌କମ୍ପନ ଆହୁରି ବଢ଼ି ଯାଇଥିବା ଚର୍ଚ୍ଚା ଧରିଛି।

ଅନ୍ୟପକ୍ଷରେ ମଦ ମାଫିଆଙ୍କ ସହ ତାଙ୍କର ସଂପର୍କ ନେଇ ଆସୁଥିବା ଅଭି‌ଯୋଗକୁ ବିଧାୟକ ପ୍ରଦୀପ ପ‌ାଣିଗ୍ରାହୀ ଖଣ୍ଡନ କରିଛନ୍ତି। ଆଜି ଦଳରୁ ବହିଷ୍କୃତ ହେବା ପରେ ଭୁବନେଶ୍ବରରେ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି; ଗଞ୍ଜାମରେ ୮୦ଟି ମଦ ଦୋକାନ ରହିଛି, ମୁଁ କାହାଠାରୁ ଟଙ୍କାଟିଏ ନେଇ ନାହିଁ।

ସମ୍ବନ୍ଧିତ ଖବର