ଦୁର୍ଘଟଣାରେ ଚିକିତ୍ସାଧୀନ ପୁଅ ଆଖି ବୁଜିଲା, ଏବେ ବି ଆଇସିୟୁରେ ବାପ-ଝିଅ

ରାସ୍ତାକୁ ନେଇ ପ୍ରବଳ ଉତ୍ତେଜନା, ସକାଳୁ ସନ୍ଧ୍ୟା ଯାଏ ବନ୍ଦ ରହିଲା ସଲ୍‌ଟରୋଡ୍‌

ବାଲେଶ୍ବର/ବାହାନାଗା : ବାଲେଶ୍ବର ସଦର ଥାନା ସଲ୍‌ଟ ରୋଡ୍‌ରେ ଟ୍ରାକ୍ଟର-ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକରେ ଚିକିତ୍ସାଧୀନ ଥିବା ଯୁବକଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି। ମରଣଯନ୍ତା ପାଲଟିଥିବା ସଲଟ୍‌ ରୋଡ଼୍‌ ଓ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଶାସନ ତରଫରୁ କୌଣସି ଆର୍ଥିକ ସହାୟତା ନ ମିଳିବା ପ୍ରତିବାଦରେ ସ୍ଥାନୀୟ ଲୋକେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସକାଳୁ ସଞ୍ଜ ଯାଏ ରାସ୍ତାକୁ ଅବରୋଧ କରିବା ଫଳରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍ ହୋଇ ଯାଇଥିଲା। ବାଲେଶ୍ବରରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ହଜାର ହଜାର ଲୋକ ଏହି ରୁଟ୍‌ରେ ଯାଇନପାରି ହଟହଟା ହୋଇଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସନ୍ଧ୍ୟାରେ ଉପଜିଲ୍ଲାପାଳ ଈଶ୍ବର ଆଶିଷ ପାଟିଲ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେବା ସହ ରାସ୍ତା ଦୂରାବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଡାକି ଖୁବ୍‌ଶୀଘ୍ର ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ହଟିଥିଲା।

ମାର୍ଚ୍ଚ ୯ ତାରିଖ ପୂର୍ବାହ୍ନରେ ସଦର ଥାନା ନୂଆପୁର ଶାସଙ୍ଗ ଗ୍ର‌ାମର ରବୀନ୍ଦ୍ର ଦାସ (୫୦), ତାଙ୍କ ପୁଅ ସଂଜୀବ (୨୩), ବିବାହିତା ଝିଅ ଓ ନାତି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ଲାଗି ଏମାନେ ସମସ୍ତେ ବାଇକ୍ ଯୋଗେ ବାଲେଶ୍ୱର ମାନସିଂବଜାର ଅଭିମୁଖେ ଯାଉଥିଲେ। ସୁନ୍ଦରୀସ୍ଥିତ ଶାନ୍ତି ଢାବା ନିକଟରେ ପ୍ରତିରକ୍ଷା ବିଭାଗର ରାସ୍ତା କାମରେ ନିୟୋଜିତ ଏକ ଟ୍ରାକ୍ଟର ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନା ପଠାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ରେଫର୍‌ କରିଥିଲେ। ଏହି ଘଟଣାରେ ଆହତ ପରିବାରକୁ କ୍ଷତିପୂରଣ ଦାବିରେ ଲୋକମାନେ ସେଦିନ ରାସ୍ତାରୋକ କରିଥିବା ବେଳେ ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ଦୁର୍ଘଟଣା ଘଟିବାର ୫ ଦିନ ପରେ ଆଜି ସକାଳେ ରବୀନ୍ଦ୍ରଙ୍କ ପୁଅ ସଂଜୀବ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଆଖି ବୁଜିଥିଲେ। ସେପଟେ ରବୀନ୍ଦ୍ର ଓ ତାଙ୍କ ଝିଅ ଏବେ ବି ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣା ଦିନ ପ୍ରାଶାସନିକ ଅଧିକାରୀଙ୍କ ତରଫରୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଗ୍ରାମବାସୀଙ୍କୁ କ୍ଷୁବ୍ଧ ହୋଇ ଆଜି ସକାଳେ ରାଜରାସ୍ତାକୁ ଓହ୍ଲାଇଥିଲେ। ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଛଡାଳ, ମାଟିବସ୍ତା ପକାଇ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳିଥିଲେ। ଫଳରେ ଶତାଧିକ ଯାନବାହନ ରାସ୍ତାରେ ଅଟକି ରହିଥିଲା। ଘଟଣାସ୍ଥଳକୁ ପ୍ରାଶାସନିକ ଅଧିକାରୀ ଆସିବା ପାଇଁ ଅଡ଼ି ବସିଥିଲେ ଅଞ୍ଚଳବାସୀ। ସନ୍ଧ୍ୟାରେ ଉପଜିଲ୍ଲାପାଳ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ପ୍ରକାଶଥାଉକି, ବାଲେଶ୍ବରରୁ ଭଦ୍ରକ-ବାସୁଦେବପୁରକୁ ସଂଯୋଗ ହୋଇଥିବା ଏହି ରାସ୍ତା ଉପରେ ଲକ୍ଷାଧିକ ଜନସାଧାରଣ ନିର୍ଭର କରନ୍ତି। ମାତ୍ର ରାସ୍ତା ନିର୍ମାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁଁ ରାସ୍ତାଟି ମରଣଯନ୍ତା ପାଲଟିଛି। ଅଧିକାଂଶ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବାରୁ ଲୋକେ ଆଜି ଏହି ରାସ୍ତାରେ ଏକପ୍ରକାର ଅଘୋଷିତ କର୍ଫ୍ୟୁ ଜାରି କରି ଦେଇଥିଲେ।

ସମ୍ବନ୍ଧିତ ଖବର