ହାଇକୋର୍ଟରେ ଲୋକ ଅଦାଲତ : ୩୯ ମାମଲା ଫୈସଲା, ୬୬ ଲକ୍ଷ ୬୨ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୩୯ଟି ମାମଲାର ଫୈସଲା କରାଯାଇଛି। ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର, ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ ଅନୁଷ୍ଠିତ ହାଇକୋର୍ଟ ସ୍ତରୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, ବିଦ୍ୟୁତ, କ୍ରମିନାଲ କମ୍ପାଉଣ୍ଡେବଲ ମାମଲା, ଭୂମି ଅଧିଗ୍ରହଣ, ଏନ.ଆଇ. ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା, ଶିକ୍ଷା ସଂପର୍କିତ ମାମଲା ଓ ବୀମା କ୍ଷତିପୂରଣ ମାମଲା ରହିଛି। କ୍ଷତିପୂରଣ ବାବଦରେ ୬୬ ଲକ୍ଷ ୬୨ ହଜାର ୫ଶହ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର