ପୁରୁଣାକଟକ: ଲକ୍‌ର ଭାଙ୍ଗି ୩ ଭରି ସୁନା, ନଗଦ ୨୦ହଜାର ଟଙ୍କା ନେଇ ଦୁର୍ବୃତ୍ତ ଚମ୍ପଟ

ହରଭଙ୍ଗା/ପୁରୁଣାକଟକ : ରବିବାର ବିଳମ୍ବିତ ରାତିରେ ପୁରୁଣାକଟକ ମାରୁତିନଗର ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି।

ମାରୁତିନଗରରେ ରହୁଥିବା ସନ୍ତୋଷ ସାହୁ ପରିବାର ସହ କୌଣସି ଏକ କାର୍ଯ୍ୟରେ କଟକ ଯାଇଥିଲେ। ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ବାଡ଼ିପଟ ଝରକା ଗ୍ରିଲ୍‌ କାଟି ଘରେ ପ୍ରବେଶ କରିଥିଲେ। ଘରର ଆଲ୍‌ମିରା ଲକ୍‌ର ଭାଙ୍ଗି ୩ଭରି ସୁନା ଏବଂ ୨୦ ହଜାର ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି। ସନ୍ତୋଷ ସାହୁ ଓ ତାଙ୍କ ପରିବାର ରାତି ୧ଟାରେ ଘରକୁ ଫେରିବା ପରେ ଘରୁ ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏସମ୍ପର୍କରେ ପୁରୁଣାକଟକ ପୁଲିସ୍‌କୁ ଜଣାଇଥିଲେ। ଖବର ପାଇ ପୁଲିସ୍‌ ରାତିରେ ତାଙ୍କ ଘରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଥିଲା। ସୋମବାର ଫୁଲବାଣୀରୁ ଡଗ୍‌ ସ୍କ୍ବାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାର ଅନୁସନ୍ଧାନ କରିଛନ୍ତି।

ଏନେଇ ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀଙ୍କୁ ପଚାରାଯିବାରୁ, ଡଗ୍‌ ସ୍କ୍ବାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପୁରୁଣାକଟକ ଅଂଚଳରେ ଦିନକୁ ଦିନ, ଡକାୟତି ବୃଦ୍ଧି ପାଉଛି। ତେଣୁ ଜିଲ୍ଲା ଓ ରାଜ୍ୟ ବାହାରୁ ଆସି ପୁରୁଣାକଟକ ଅଂଚଳରେ ରହି ମିସ୍ତ୍ରି କାମ, କବାଡ଼ିବାଲା, ଗୁପ୍‌ଚୁପ୍‌, ବାଦାମ ବେପାର କରୁଥିବା ଲୋକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉ। ଏହାସହ ନାଇଟ୍‌ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର