ରୋଗୀ କହି ଘରେ ପଶିଲେ ଦୁର୍ବୃତ୍ତ : ଡାକ୍ତରଙ୍କ ତଣ୍ଟିରେ ଭୁଜାଲି ଲଗାଇ ଲୁଟ୍

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ରୋଗୀ କହି ଡାକ୍ତରଙ୍କ ଘରେ ପଶିଲେ। ତଣ୍ଟିରେ ଭୁଜାଲି ଲଗାଇ ୫ ଭରି ସୁନା, ମୋବାଇଲ ଓ ଟଙ୍କା ଲୁଟି ନେଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଅଞ୍ଚଳରେ ଗତକାଲି ରାତିରେ ଏମିତି ଗୋଟିଏ ଘଟଣା ଘଟିଛି। ଲୁଟ୍‌ର ଶିକାର ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲରେ କାର୍ଯ୍ୟରତ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜ ଏନେଇ ଆଜି ଆଜି ସକାଳେ ଖାତିଗୁଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେରା ପାଇନାହିଁ।

ସୂଚନା ଅନୁଯାୟୀ, ଗତକାଲି ରାତ୍ର ପ୍ରାୟ ସାଢ଼େ ୧୧ଟାରେ ୪ଜଣ ଦୁର୍ବୃତ୍ତ ଇନ୍ଦ୍ରାବତୀ ଜଗନ୍ନାଥ ମନ୍ଦିର ପଛପଟରେ ଥିବା ପ୍ରକଳ୍ପ କଲୋନିର କ୍ବାଟର ନଂ ୩୦ରେ ରହୁଥିବା ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ କବାଟ ବାଡ଼େଇଥିଲେ। ଏତେ ରାତିରେ କେହି କବାଟ ବାଡ଼େଇବାରୁ ଡାକ୍ତରଙ୍କ ସନ୍ଦେହ ହୋଇଥିଲା। ତେବେ ଲୁଟେରା ମାନଙ୍କ ମଧ୍ୟରୁ ଜଣେ ଜଣେ ଗୁରୁତର ରୋଗୀକୁ ନେଇ ଆସିଥିବା କହିଥିଲେ। ନେହୁରା ହୋଇ ରୋଗୀ ଦେଖିବାକୁ କହିବାରୁ ଡାକ୍ତର ଜଣକ ବାଧ୍ୟ ହୋଇ କବାଟ ଖୋଲିଥିଲେ। କବାଟ ଖୋଲିବା କ୍ଷଣି ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସମେତ ୪ଜଣ ଘର ଭିତରକୁ ଧସେଇ ପଶିଥିଲେ। ଡାକ୍ତରଙ୍କ ବେକରେ ଭୁଜାଲି ଲଗାଇ ଘରର ଗୋଟିଏ କୋଣକୁ ନେଇ ଯାଇଥିଲେ। ଶବ୍ଦ ଶୁଣି ଘର ଭିତରେ ଥିବା ପତ୍ନୀ ପ୍ରୀତିମୟୀ ବାହାରକୁ ଚାଲି ଆସିବାରୁ ପିନ୍ଧିଥିବା ସୁନା ହାର, କାନ ଫୁଲ, ସୁନା ଚୁଡି (୫ଭରି) ଆଦି ବାହାର କରି ଦେଇ ଦେବାକୁ କହିଥିଲେ। ସ୍ବାମୀଙ୍କ ବେକରେ ଦୁର୍ବୃତ୍ତ ଭୁଲାଇ ଲଗାଇଥିବାରୁ ପ୍ରୀତିମୟୀ କୌଣସି ପ୍ରତିବାଦ ନକରି ସବୁ ଅଳଙ୍କାର ଦେଇଥିଲେ। ଏହାପରେ ଆଲମାରି ଖୋଲିବାକୁ ନିର୍ଦେଶ ଦେଇ ଲକରରେ ଥିବା ନଗଦ ୪୦ ହଜାର ୫ଶହ ଟଙ୍କା, ୪ଟି ମୋବାଇଲ ନେଇ ଚାଲି ଯାଇଥିଲେ। ଲୁଟ ହୋଇଥିବା ସାମଗ୍ରୀର ମୂଲ୍ୟ ଆନୁମାନିକ ୨ଲକ୍ଷ ୬୦ ହଜାର ହେବ। ଦୁର୍ବୃତ୍ତମାନେ ସ୍ଥାନୀୟ ଭାଷାରେ କଥାବାର୍ତା ହେଉଥିଲେଏବଂ ସେମାନଙ୍କ ମଧ୍ୟରୁ କିଛି ଜଣ ମଦ୍ୟପାନ କରିଥିବା ଜଣାପଡ଼ିଛି। ମାତ୍ର ୧୫ମିନିଟ ଭିତରେ ଲୁଟ୍ କରି ଦୁର୍ବୃତ୍ତ ଚାଲି ଯାଇଥିବା ଡାକ୍ତର କହିଛନ୍ତି।

ଆଜି ସକାଳେ ଥାନାରେ ଅଭିଯୋଗ ହେବାରୁ ଖାତିଗୁଡା ଥାନା ଅଧିକାରୀ ସୁବାସ ବେହେରା ଓ ଷ୍ଟାଫ ପହଞ୍ଚି ତଦନ୍ତ କରିଥିଲେ। କୋରାପୁଟରୁ ସନ୍ଧାନୀ କୁକୁର ବି ଆସି ଯାଞ୍ଚ କରିଥିଲା। ସରକାରୀ କ୍ବାର୍ଟର ଥିବା ଅଞ୍ଚଳରୁ ଏମିତି ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳାବସୀଙ୍କୁ ଆତଙ୍କିତ କରିଛି। ତେଣୁ ପୁଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର